ଆକସ୍ମିକ ପରିସ୍ଥିତିରେ ଯଦି ପାଣିରେ ବୁଡିବା ଭଳି ଅଘଟଣ ଘଟିଯାଏ ତେବେ ନିଜକୁ ବଞ୍ଚାଇବା ପାଇଁ କରିବେ କ’ଣ ? ଜାଣିରଖନ୍ତୁ କିଛି ଟିପ୍ସ ବଞ୍ଚାଇପାରିବେ ନିଜ ଜୀବନ ।

3,994

ନୂଆବର୍ଷ ଆରମ୍ଭରୁ କେନ୍ଦ୍ରାପଡାରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା। ମହାନଦୀରେ ଗତକାଲି ବଣଭୋଜି ସାରି ଫେରୁଥିବା ବେଳେ ବୁଡି ଯାଇଥିଲା ଡଙ୍ଗା । ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିବାରୁ ୯ ଜଣ ନିରୀହଙ୍କ ପ୍ରାଣବାୟୁ ଉଡିଯାଇଥିଲା । ମୃତକଙ୍କ ମଧ୍ୟରେ ୭ ଜଣ ଶିଶୁ ,୨ ଜଣ ମହିଳା ଥିଲେ । କେନ୍ଦ୍ରାପଡ଼ାର ମହାକାଳପଡ଼ାରେ ନୂଆବର୍ଷର ବଣଭୋଜି ସାରି କୁଜଙ୍ଗ ଅଭିମୁଖେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ହୃଦୟବିଦାରକ ଏହି ସମୟରେ ପରିବାର ସମେତ ସମ୍ପୁର୍ଣ୍ଣ ଓଡିଶା ମଧ୍ୟ ଶୋକ ପ୍ରକାଶ କରୁଛି । କାହିଁକି ବୁଡିଗଲା ଡଙ୍ଗା ଏହାକୁ ନେଇ ଏବେ ଚର୍ଚ୍ଚା ମଧ୍ୟ ଚାଲିଛି । କିନ୍ତୁ ବିଧିର ବିଧାନ ଆଗରେ କିଏ ଅବା କ’ଣ କରିପାରିବ । କାଳର ଇଚ୍ଛା ଆଗରେ ନଇଁ ପଡିଲା ୯ ଟି ଜୀବନ । କିନ୍ତୁ ଦୁର୍ଭାଗ୍ୟବଶତଃ ଆପଣ ଯଦି କେତେବେଳେ ଏଭଳି ପରିସ୍ଥିତିର ସାମ୍ନା କରନ୍ତି ତେବେ ଜାଣିରଖନ୍ତୁ କରିବେ କ’ଣ ? କିଭଳି ବଞ୍ଚାଇବେ ନିଜ ଜୀବନ?

୧ . ଯଦି ଏଭଳି ପରିସ୍ଥିିତି ସୃଷ୍ଟି ହୁଏ ସର୍ବପ୍ରଥମେ ଶାନ୍ତ ହୁଅନ୍ତୁ ବିଚଳିତ ହେବା କ୍ଷଣି ମାଂସପେଶୀ ଅଧିକ ଅମ୍ଲଜାନ ନେଇଥାଏ ଏବଂ ଏଭଳି ସ୍ଥିତିରେ ଏହା ଖୁବ୍ ବିପଦଜନକ ହୋଇପାରେ ।

୨ . ମୁଣ୍ଡକୁ ଉପରଭାଗରେ ରଖିବାକୁ ଚେଷ୍ଟା କରନ୍ତୁ ଏବଂ ସାମାନ୍ୟ ରୁପରେ ନିଶ୍ୱାସ ନିଅନ୍ତୁ । ଫୁସଫୁସ୍ ରେ ଅଧିକ ନିଶ୍ୱାସ ପ୍ରବେଶ କଲେ ପହଁରିବା ପାଇଁ କଷ୍ଟ ହୋଇଥାଏ ।

୩ . ଯେତେ ଅଧିକ ପାଟି କରି ପାଖଆଖ ଲୋକଙ୍କୁ ଡାକିବାକୁ ଚେଷ୍ଟା କରନ୍ତୁ ।

୪ . ପାଣିକୁ ହାତରେ ପିଟନ୍ତୁ ଯାହାଦ୍ୱାରା ଲୋକ ଆପଣଙ୍କ ଉପସ୍ଥିତିକୁ ଜାଣିପାରି ଉଦ୍ଧାର ପାଇଁ ଆସିବେ ।

୫ . ଆପଣଙ୍କ ଓଜନକୁ ବଢାଉଥିବା ସାମଗ୍ରୀ ଯଥା-ଜୋତା କିମ୍ବା ବ୍ୟାଗ୍ ଭଳି ଦ୍ରବ୍ୟକୁ ତୁରନ୍ତ ବାହାର କରିଦିଅନ୍ତୁ ।

୬ . ମୁଣ୍ଡକୁ ପାଣିରୁ ବାହାର ରଖିବା ପାଇଁ ଅଧିକ ଚେଷ୍ଟା କରନ୍ତୁ ।

୭ . ପାଣିରେ ଶରୀରକୁ ଠିଆ କରି ରଖିବା ପରିବର୍ତ୍ତେ ମୁଣ୍ଡକୁ ପଛରେ ରଖି ଶରୀରକୁ ହାଲକା ରଖି ଶୋଇବା ଭଳି ଅବସ୍ଥାରେ ରଖନ୍ତୁ ।

କିଭଳି ଜାଣିବେ ଯେ ପାଣିରେ ଜଣେ ବୁଡୁଛନ୍ତି ?

୧ . ଜଣେ ବ୍ୟକ୍ତି ନିଜ ମୁହଁ ଏବଂ ମୁଣ୍ଡ ପାଣିରୁ ବାହାରକୁ ବାହାର କରିବାକୁ ଚେଷ୍ଟା କରି ବିଫଳ ହେଉଥିଲେ କାଳବିଳମ୍ବ ନକରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରନ୍ତୁ ।

୨ . ବ୍ୟକ୍ତିଙ୍କ ମୁଣ୍ଡ ପଛପଟକୁ ଓହଳିଥିବା ଏବଂ ମୁହଁ ଖୋଲା ହୋଇଥିଲେ ଜାଣିନିଅନ୍ତୁ ଯେ ବ୍ୟକ୍ତି ଜଣକ ବୁଡୁଛନ୍ତି ।

୩ . ବ୍ୟକ୍ତିଜଣକ ଗୋଟିଏ ସ୍ଥାନକୁ ନ ଦେଖି ଏପଟସେପଟ ହେଉଥିଲେ କିମ୍ବା ଜୋରଜୋରରେ ନିଶ୍ୱାସପ୍ରଶ୍ୱାସ ନେଉଥିଲେ ।

୪ . ବ୍ୟକ୍ତିଜଣକ ଗୋଟିଏ ଦିଗକୁ ପହଁରିବାକୁ ଚେଷ୍ଟା କରି ବିଫଳ ହେଉଥିଲେ ।

୫ . ବ୍ୟକ୍ତି ନିଜ ରକ୍ଷା କରିବାକୁ ଯାଇ ପିଠିର ବଳ ପ୍ରୟୋଗ କରି ବୁଲିବାକୁ ଚେଷ୍ଟା କରୁଥିଲେ ।

୬ . ହାତଗୋଡକୁ ଜୋରରେ ପିଟୁଥିଲେ ।

ପ୍ରାଥମିକ ଚିକିତ୍ସା

ଆୟୁର୍ବେଦ ବିଶେଷଜ୍ଞଙ୍କ ସୂଚନା ମୁତାବକ, ବୁଡିଯାଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବା ମାତ୍ରକେ ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରନ୍ତୁ ଯଦି ମେଡିକାଲ ବହୁତ ଦୂରରେ ରହିଛି ତେବେ ଡାକ୍ତରଖାନାରେ ପହଂଚିବା ପର‌୍ୟ୍ୟନ୍ତ କିଛି ପ୍ରାଥମିକ ଚିକିତ୍ସା କରନ୍ତୁ । ଯେମିତି ହିଁ ବ୍ୟକ୍ତିଜଣକୁ ପାଣିରୁ ଉଦ୍ଧାର କରିବେ ତାଙ୍କୁ ତୁରନ୍ତ ସିପିଆର ଦେବା ଉଚିତ । ସର୍ବପ୍ରଥମେ ପେଟକୁ ଦବାଇ ପାଣି ବାହାର କରିବାକୁ ଚେଷ୍ଟା କରନ୍ତୁ । ଏହାପରେ ତାଙ୍କୁ ପେଟାଇ ଦେଇ ପୁଣିଥରେ ପାଣି ବାହାର କରିବାକୁ ଚେଷ୍ଟା କରନ୍ତୁ । ଏବେ ଛାତିକୁ ହାତରେ ଧିରେ ଧିରେ ଦବାନ୍ତୁ ଏବଂ ପାଣି ବାହାର କରିବାକୁ ଚେଷ୍ଟା କରନ୍ତୁ । ଯଦି ଏହା ପରେ ବି ଉକ୍ତ ବ୍ୟକ୍ତିଙ୍କଠାରେ କୌଣସି ପ୍ରକାରର ପରିବର୍ତ୍ତନ ଦେଖାନଦିଏ । ତେବେ ରୋଗୀର ନାକକୁ ଚାପି ରଖି ତାଙ୍କୁ ମୁହଁରୁ ନିଶ୍ୱାସ ଦେବାକୁ ଚେଷ୍ଟା କରନ୍ତୁ ।