ଆଜି ଶ୍ରାବଣ ମାସର ପ୍ରଥମ ସୋମବାର ! ଲିଙ୍ଗରାଜ ଓ ପୁରୀର ଲୋକନାଥ ପୀଠ ସମେତ ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଲାଗିଛି ଭିଡ ।

223

କନକ ବ୍ୟୁରୋ : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ହର ହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହେଉଛି ପୁରା ପରିବେଶ ।  ଏଥିପାଇଁ ରାଜ୍ୟର ସବୁ ଶୈବପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ହରହର ମହାଦେବଙ୍କ ଉପରେ ଜଳ ଲାଗି କରିବା ପାଇଁ ମନ୍ଦିରରେ କାଉଡ଼ିଆଙ୍କ ଗହଳି ଲାଗିଛି । ଧାଡି ଯାଇ ଭୋଳା ବାବାଙ୍କ ଉପରେ ପାଣି ଢାଳୁଛନ୍ତି କାଉଡ଼ିଆ । ଶ୍ରଦ୍ଧା ଓ ଭକ୍ତିର ସହ ନିଜ ମନସ୍କାମନା ପୂରଣ ପାଇଁ ବିଭିନ୍ନ ନଦୀ ଓ ଜଳାଶୟରୁ ପବିତ୍ର ଜଳ ଭାର ଆଣି ଭୋଳା ଶଙ୍କରଙ୍କୁ ଜଳ ଲାଗି କରୁଛନ୍ତି ଶ୍ରଦ୍ଧାଳୁ । ବିଶ୍ୱାସ ରହିଛି ଶ୍ରାବଣ ମାସରେ ଶିବଲିଙ୍ଗରେ ପାଣି ଢ଼ାଳିଲେ କୋଟି ପୂଣ୍ୟ ମିଳିଥାଏ ।

ବିଶେଷ କରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ପୁରୀର ଲୋକନାଥ ପୀଠ ସମେତ ରାଜ୍ୟର ଅନ୍ୟ ଶୈବପୀଠଗୁଡିକରେ ଲାଗିଛି କାଉଡିଆଙ୍କ ଭିଡ । ସେହିଭଳି କଟକର ଧବେଶ୍ୱଳର, ନୟାଗଡ଼ର ଲଡୁବାବା, ଭଦ୍ରକର ଆରଡ଼ି ଏବଂ ଢେଙ୍କାନାଳର କପିଳାସ ପୀଠ ସମେତ ରାଜ୍ୟର ସମସ୍ତ ପ୍ରମୁଖ ଶିବ ମନ୍ଦିରରେ କାଉଡ଼ିମାନେ ଜଳଲାଗି କରୁଛନ୍ତି । ସବୁଠି ପୋଲିସ୍ ଓ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଶୃଙ୍ଖଳିତ ଜଳ ଲାଗି ପାଇଁ ବ୍ୟବସ୍ଥା କରାଯାଇଛି ।