ଟିଟୋକୁ ନେଇ ବିଜେଡି-ବିଜେପି କଳି ! ବିଜେଡିର ଅଭିଯୋଗ ପରେ, ବିଜେପିର ଜବାବ ସରକାରଙ୍କ ଜାଣତରେ ଚାଲିଥିଲା ଟିଟୋ ସାମ୍ରାଜ୍ୟ

69

ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ପ୍ରସଙ୍ଗରେ ବିଜେଡି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା ପରେ ବିଜେପିର ପାଲଟା ଅକ୍ରମଣ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜତି ସାମ୍ବାଦିକ ସମ୍ମିଳନୀରେ ବିଜେଡି ବିରୋଧରେ ବିଜେପି ଆଣିଲା ସାଂଘାତିକ ଅଭିଯୋଗ । ସରକାରୀ ପୃଷ୍ଠପୋଷକତାରେ ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ସାମ୍ରାଜ୍ୟ ଚାଲିଥିବା ଅଭିଯୋଗ ଆଣିଲେ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । ବିଜେଡିକୁ ସିବିଆଇ ଡର ସବୁବେଳେ ରହିଛି, ତେଣୁ ଟିଟୋକୁ ନେଇ ମଧ୍ୟ ସିିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ଭୟବୀତ ହୋଇଛି ଶାସକ ଦଳ ବୋଲି କହିଛନ୍ତି ପିତାମ୍ବର ।ଏପରିକି ଗ୍ୟାଙ୍ଗଷ୍ଟର ଟିଟୋ ସହ ସରକାରୀ ଅଫିସର , ବିଜେଡିର ତୁଙ୍ଗ ନେତା ପ୍ରତାପ ଦେବ, ଅତନୁ ସବ୍ୟସାଚୀ, କିଶୋର ତରାଇଙ୍କ ସଂପୃକ୍ତିଥିବା ଅଭିଯୋଗ କରିଛନ୍ତି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । ଶାସକ ଦଳର ଏହି ନେତାମାନଙ୍କ ତତ୍ୱାବଧାନରେ ଟିଟୋ ତାର ଅପରାଧିକ ସମ୍ରାଜ୍ୟ ବିସ୍ତାର କରିଥିଲା । ପ୍ରତାପ ଦେବ କିପରି ଜାଣି ପାରିଲେନି ବୋଲି ପାଲଟା ପ୍ରଶ୍ନ କରିଛି ବିଜେପି । ଆଇଓସିଏଲ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟୋଗ । ଏହାର ତଦନ୍ତ କରିବା ସିବିଆଇର ଦାୟିତ୍ୱ । ପେଟ୍ରୋଲ ପମ୍ପ ବଣ୍ଟନରେ କେନ୍ଦ୍ରମନ୍ତ୍ରୀଙ୍କର କୌଣସି ଭୂମିକା ନଥାଏ । ପେଟ୍ରୋଲ ପମ୍ପରେ ଅନିୟମିତତା ହୋଇଥିବାରୁ ସିବିଆଇ ତଦନ୍ତ କରୁଛି । ବିଜେଡି ନେତା ଏହାକୁ ନେଇ କାହିଁକି ଏତେ ଭୟବୀତ ହେଉଛନ୍ତି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ।

ସେପଟେ ଏହି ପ୍ରସଙ୍ଗରେ ବିଜେଡି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପାଇଁ ଦାବି କରିଛି । ଦିଲ୍ଲୀରେ ବିଜେଡି ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବଙ୍କ ଅଭିଯୋଗ ଅନୁସାରେ ୨୦୧୪ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଗ୍ୟାସ ଏଜେନ୍ସି ଏବଂ ପେଟ୍ରୋଲ ପମ୍ପରେ ଅନିୟମିତା ହୋଇଛି, ତାକୁ ନେଇ କାହିଁକି ଚୁପ ବସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ? ଏବଂ ନିକଟରେ ବିଜେପୁର ଉପ-ନିର୍ବାଚନରେ ପେଟ୍ରୋଲ ପମ୍ପରେ ଅର୍ଥକାରବାର କରିବା ଅଭିଯୋଗ ବିଜେଡି କରିଥିଲା । ପୂର୍ବରୁ ମଧ୍ୟ ଅନ୍ୟ କେତୋଟି ଅପରାଧିକ ଘଟଣାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ ସନ୍ଦେହ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛି ବିଜେଡି ।