ଆଜି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ୧୯ତମ ପ୍ରତିଷ୍ଠା ଦିବସ । କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ପ୍ରତିଷ୍ଠା ହେବ ଚେୟାର 

87

କନକ ବ୍ୟୁରୋ : ଆଜି ଉତ୍କଳସଂସ୍କୃତି ବିଶ୍ୱବିଦ୍ୟାଳୟରେ୧୯ତମ ପ୍ରତିଷ୍ଠା ଦିବସ । ଏହାକୁ ସ୍ମରଣୀୟକରିବା ପାଇଁ ଖୋଲିବ ଚାରିଟି ପିଜି ବିଭାଗ । ୨୦୧୮-୧୯ ଶିକ୍ଷାବର୍ଷରୁ ଏହି ବିଭାଗଗୁଡ଼ିକରେ ନାମଲେଖା ହେବାର ସମ୍ଭାବନା ରହିଛି ବୋଲି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କମଳକାନ୍ତ ମିଶ୍ର କହିଛନ୍ତି। ବର୍ତମାନ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ‘ଓଡ଼ିଆ ଭାଷା ଓ ସାହିତ୍ୟ’ ବିଭାଗ ସମେତ ‘ଆଦିବାସୀ ସାହିତ୍ୟ ଓ ସଂସ୍କୃତି’, ‘ଗଣ ଯୋଗାଯୋଗ’ ଏବଂ ‘ମ୍ୟୁଜିଓଲୋଜି ଓ ମ୍ୟୁଜିୟମ୍ ମ୍ୟାନେଜ୍ମେଣ୍ଟ’ ବିଭାଗ ଖୋଲିବାକୁ ଯୋଜନା କରାଯାଇଛି। ଏଥିସହ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରାଯିବ। ଏହି ଚେୟାର ଦ୍ୱାରା ଛାତ୍ରଛାତ୍ରୀ ଭଞ୍ଜଙ୍କ ଉପରେ ଅଧିକ ଗବେଷଣା କରିପାରିବେ।

ତେବେ ବିଶ୍ୱବିଦ୍ୟାଳୟ ପ୍ର୍ରତିଷ୍ଠାକୁ ୧୮ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ସମସ୍ତ ଅଧ୍ୟାପକ ପଦବି ପୂରଣ ହୋଇପାରି ନାହିଁ। ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ହେଉ ନ ଥିବାରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ୧୨(ବି)ରେ  ବିଶ୍ୱବିଦ୍ୟାଳୟ ସାମିଲ ହୋଇପାରି ନାହିଁ। ତାହାକୁ ଦୃଷ୍ଟିରେ ରଖି ୨୦୧୭ରେ ସଂସ୍କୃତି ବିଭାଗ ପକ୍ଷରୁ ୧୬ଟି ଚିଟିଂ ପଦବି ପୂରଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ୧୦ ଜଣ ସ୍ଥାୟୀ ଅଧ୍ୟାପକ ରହିଥିବା ବେଳେ ୩ଟି ପଦବିରେ ନିଯୁକ୍ତି ବିଚାରାଧୀନ ରହିଛି। ଫେବ୍ରୁଆରି ଶେଷ ସୁଦ୍ଧା ନିଯୁକ୍ତି ପ୍ରକ୍ରିୟା ଶେଷ ହେବା ପରେ ମୋଟ ଅଧ୍ୟାପକଙ୍କ ସଂଖ୍ୟା ୨୯ରେ ପହଞ୍ଚିବ।

ଏଥିସହ ନନ ଟିଚିଂ ପଦବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ଆବଶ୍ୟକ ଅଧ୍ୟାପକ, କର୍ମଚାରୀ ନ ଥିବାରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ୟୁଜିସି ୧୨(ବି)ରେ ସାମିଲ ଲାଗି ଆବେଦନ କରାଯାଇପାରୁନି। ୟୁଜିସି ୧୨(ବି)ରେ ସାମିଲ ହୋଇ ନ ଥିବାରୁ ବିଶ୍ୱବିଦ୍ୟାଳୟ ପ୍ରତିବର୍ଷ କୋଟି କୋଟି ଟଙ୍କା ହରାଉଛି। ଭିତ୍ତିଭୂମି ବିକାଶ ଲାଗି ୟୁଜିସିରୁ ଅର୍ଥ ଆସିପାରୁନି।

ଅନ୍ୟପକ୍ଷରେ କ୍ୟାମ୍ପସ ସୌନ୍ଦର୍ୟ୍ୟକରଣ ବୃଦ୍ଧି ଦିଗରେ ପଦକ୍ଷେପ ନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ। ବ୍ୟାପକ ବୃକ୍ଷରୋପଣ ସହ କ୍ୟାମ୍ପସର ଲ୍ୟାଣ୍ଡ ସ୍କେପିଂ କରିବା ଲାଗି ଓଏଫଡିସିର ସହାୟତା ନିଆଯାଇଛି। ସୁରକ୍ଷା ବଢ଼ାଇବା ଲାଗି କ୍ୟାମ୍ପସର ପ୍ରବେଶ ପଥ, ଶ୍ରେଣୀଗୃହ, ପାଠାଗାର, ହଷ୍ଟେଲ ପରି ପ୍ରମୁଖ ସ୍ଥାନରେ ସିସିଟିଭି ଲଗାଇବାକୁ ନିଷ୍ପତ୍ତି ହୋଇଛି। କ୍ୟାମ୍ପସ ଚାରିପାଖରେ ଯେଉଁଠି ପାଚେରି ନାହିଁ ସେଠାରେ ପାଚେରି ନିର୍ମାଣ କରିବା ଦିଗରେ ମଧ୍ୟ ଆଲୋଚନା ସରିଛି। କ୍ୟାମ୍ପସରେ ସୌରଶକ୍ତି ଲାଗିବ। ବିଜୁଳି ବଞ୍ଚାଇବା ଲାଗି ଏଭଳି ଏକ ପଦକ୍ଷେପ ନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ। ମୁଖ୍ୟ କୋଠାରେ ବହୁତ ବଡ଼ ଛାତ ରହିଥିବାରୁ ସେଠାରେ ସୌରଶକ୍ତି ଲଗାଇବାକୁ ଯୋଜନା ହୋଇଛି।