ଆଉ ନାହାନ୍ତି ‘ବର୍ଡ଼ର’ର ପ୍ରକୃତ ହୀରୋ କୂଲଦୀପ ସିଂ ! ମାତ୍ର୧୦୦ ଯବାନଙ୍କୁ ନେଇ ୨୦୦୦ ପାକ୍ ସୈନିକଙ୍କୁ ଧୂଳି ଚଟାଇଥିଲେ

592

କନକ ବ୍ୟୁରୋ : ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧର ନାୟକ ବ୍ରିଗେଡିୟର୍ କୁଳଦୀପ ସିଂହ ଚାନ୍ଦପୁରୀ ଶନିବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଦେଶର ଦ୍ୱିତୀୟ ସର୍ବୋଚ୍ଚ ସୌର‌୍ୟ୍ୟ ସମ୍ମାନ ‘ମହାବୀର ଚକ୍ର’ ମଣ୍ଡିତ ୭୮ ବର୍ଷିୟ କୁଳଦୀପ, ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ସମୟରେ ୮. ୩୦ରେ ମୃତ୍ୟୁ ବରଣ କରିଛନ୍ତି । ତାଙ୍କର ଅନ୍ୟ ଜଣେ ପୁଅ ଜର୍ମାନିରୁ ଫେରିବା ପରେ ଅନ୍ତ୍ୟେଷ୍ଟିକ୍ରିୟା କରାଯିବ ବୋଲି ତାଙ୍କ ପୁଅ ହରଦୀପ ସିଂହ ଚାନ୍ଦପୁରୀ କହିଛନ୍ତି ।

୧୯୭୧ରେ ଭାରତ-ପାକ୍ ଯୁଦ୍ଧ ସମୟରେ ବିଗେଡ଼ିୟର ଚାନ୍ଦପପୂରୀ ଭାରତୀୟ ସେନାର ମେଜର ଥିଲେ । ୧୯୭୧ ମସିହା ଡିସେମ୍ବର ୫ ଓ ୬ ତାରିଖ ରାତିରେ ପାକିସ୍ତାନ ଲଙ୍ଗେଓ୍ଵାଲା ଓ ରାମଗଡ଼ ଦଖଲ କରିବା ଉଦ୍ଦେଶ୍ୟରେ ଟି-୫୯ ରେଜିମେଣ୍ଟ୍ ଏବଂ ଶେର୍ମାନ୍ ଟ୍ୟାଙ୍କ୍ ସହାୟତାରେ ୫୧ ଇନଫାଣ୍ଟ୍ରି ବ୍ରିଗେଡ୍ ଉପରେ ଜୋରଦାର୍ ଆକ୍ରମଣ କରିଥିଲା । ୨୩ ପଞ୍ଜାବର ‘ଏ’ କମ୍ପାନିର ନେତୃତ୍ୱ ନେଉଥିବା ସେତେବେଳକାର ମେଜର ଚାନ୍ଦପୁରୀ ମାତ୍ର ୧୦୦ ସୈନ୍ୟ ଥିବା ଦଳର ଏକ ନେତୃତ୍ୱ ନେଇ ପାକିସ୍ତାନ ଆକ୍ରମଣର ବୀରତ୍ୱର ସହ ଆକ୍ରମଣ କରିଥିଲେ ଓ ତାଙ୍କୁ ଘଉଡ଼ାଇବା ପାଇଁ ସକ୍ଷମ ହୋଇଥିଲେ । ସେ ସମୟରେ ତାଙ୍କୁ ମାତ୍ର ହୋଇଥିଲା ୨୨ ବର୍ଷ । ଅଳ୍ପ ସନ୍ୟ ସତ୍ତ୍ୱେ ମୁକାବିଲା କରି ରାତି ସାରା ବହୁ ଆକ୍ରମଣକୁ ପ୍ରତିହତ କରିଥିଲେ। ତହିଁ ଆର ଦିନ ପ୍ରତ୍ୟୁଷରେ ଭାରତୀୟ ବାୟୁସେନା ଶତ୍ରୁପକ୍ଷର ଟ୍ୟାଙ୍କ୍ଗୁଡ଼ିକୁ ନଷ୍ଟ କରି ଦେଇଥିଲା ।

ସୂଚନାଯୋଗ୍ୟ ଜେପି ଦତ୍ତଙ୍କ ଚଳଚ୍ଚିତ୍ର ‘ବର୍ଡର୍’ ଲଙ୍ଗେଓ୍ଵାଲା ଯୁଦ୍ଧର ସତ୍ୟ ଘଟନା ଉପରେ ଆଧାରିତ । ଅଭିନେତା ସନ୍ନି ଦେଓଲ୍ ଏଥିରେ ବ୍ରିଗେଡିୟର୍ ଚାନ୍ଦପୁରୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।