ରାଜ୍ୟରେ ୧୯ଟି ନଦୀ ପ୍ରଦୂଷିତ : ବିଧାୟକଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

263

କନକ ବ୍ୟୁରୋ : ରାଜ୍ୟରେ ୧୯ଟି ନଦୀ ପ୍ରଦୂଷିତ ବୋଲି ଚିହ୍ନଟ ହୋଇଛି । ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଏକଥା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍  । ଶିଳ୍ପ ଓ ସହର ଆବର୍ଜନା ମିଶୁଥିବାରୁ ନଦୀ ଗୁଡ଼ିକ ପ୍ରଦୂଷିତ ହେଉଛି । ସହରାଞ୍ଚଳରେ ସିୱେଜ୍ ଟ୍ରିଟମେଣ୍ଟ ବାଧ୍ୟତାମୂଳକ ହୋଇଥିବା ବେଳେ ନିୟମ ଖିଲାପ କରି କିଛି ସଂସ୍ଥା ନଦୀକୁ ତରଳ ଆବର୍ଜନା ଛାଡ଼ୁଛନ୍ତି । ଆଉ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କି ନାହିଁ ବୋଲି ଆଜି ଗୃହରେ ପ୍ରଶ୍ନ କରିଥିଲେ ଦଳୀୟ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ।

ଆଉ ଏହାର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପ୍ରବାହିତ ହୋଇଥିବା ନଦୀ ଗୁଡ଼ିକ ମଧ୍ୟରୁ ୧୯ଟି ନଦୀରେ ନର୍ଦ୍ଦମା ଜଳ ମିଶୁଥିବାରୁ ସେଗୁଡ଼ିକୁ ପ୍ରଦୂଷିତ ଚିହ୍ନଟ କରାଯାଇଛି । ଆଉ ଏଥରୁ ବର୍ତ୍ତିବା ପାଇଁ ଭୁବନେଶ୍ୱର, କଟକ, ସମ୍ବଲପୁର, ତାଳଚର ଓ ରାଉରକେଲା ସହରରେ ସିୱେଜ୍ ଟ୍ରିଟମେଣ୍ଟ ପ୍ଲାଂଟ ନିର୍ମାଣ କାର୍ଯ୍ୟକାରୀ କରାଯାଉଛି । ସେହିପରି ଭୁବନେଶ୍ବର , ବାରିପଦା, ବ୍ରହ୍ମପୁର, ସମ୍ବଲପୁର, ପୁରୀ, ରାଉରକେଲାରେ ସେପଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ କାର୍ଯ୍ୟ କରାଯାଇ କାର୍ଯ୍ୟକ୍ଷମ କରାଯାଉଛି । ଅନ୍ୟପଟେ କଟକ ଓ ବାଲେଶ୍ୱରରେ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏହା ବ୍ୟତୀତ ବର୍ତ୍ତମାନ ୨୯ ଗୋଟି ସହରରେ ସେପଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ୍ ନିର୍ମାଣ କରିବା ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଛି । ରାଜ୍ୟର ସମସ୍ତ ୧୧୪ଟି ସହରରେ ସେପଟେଜ୍ ଟ୍ର୍ରିଟମେଣ୍ଟ ପ୍ଲାଣ୍ଟ୍ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଉତ୍ତର ଦେଇଛନ୍ତି ।

କେବଳ ଏତିକି ନୁହେଁ ପ୍ରଦୂଷଣ ସୃଷ୍ଟି କରୁଥିବା ସଂସ୍ଥା ଉପରେ କଡ଼ା ନଜର ରଖିଛନ୍ତି ରାଜ୍ୟ ସରକାର । ବର୍ଯ୍ୟବସ୍ତୁ ପରିଚାଳନା ପାଇଁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ସମ୍ବଲପୁର, ଜୁନାଗଡ଼, ପୁରୀ ଓ କଟକ ପୌର କର୍ତ୍ତୃପକ୍ଷଙ୍କ ବିରୋଧରେ ମୋକଦ୍ଦମା ରୁଜୁ କରିଛନ୍ତି ରାଜ୍ୟ ପ୍ରଦୂଷଣ ବୋର୍ଡ଼  ବୋଲି ମଧ୍ୟ ମନ୍ତ୍ରୀ ପ୍ରକାଶ କରିଛନ୍ତି ।