ବରଗଡ ବରପାଲିରେ ଛତିଶଗଡ ବ୍ୟବସାୟୀଙ୍କ ଗାଡିରୁ ୧୯ ଲକ୍ଷ ଟଙ୍କା ଜବତ କଲା ପୋଲିସ୍ । ବିଜେପୁର ଉପନିର୍ବାଚନ ପାଇଁ ଗାଡି ଯାଂଚ ବେଳେ ମିଳିଲା ଟଙ୍କା

କେଉଁଠୁ ଆସିଲା ଓ କୁଆଡେ ଯାଉଥିଲା ସେ ନେଇ ବଢ଼ିଲା ସନ୍ଦେହ

652

କନକ ବ୍ୟୁରୋ: ବିଜେପୁର ଉପନିର୍ବାଚନ ପାଇଁ ଗାଡି ଯାଂଚବେଳେ ଗୋଟିଏ ଗାଡିରୁ ୧୯ ଲକ୍ଷ ଟଙ୍କା ଜବତ କଲା ପୋଲିସ୍ । ଗତକାଲି ବିଳମ୍ବିତ ରାତିରେ ବରପାଲି ପୋଲିସ୍ ପକ୍ଷରୁ ଚେକିଂ ଚାଲିଥିବାବେଳେ ଛତିଶଗଡର ବ୍ୟବସାୟୀ ପରାଗ ଅଗ୍ରୱାଲଙ୍କ ଗାଡିରୁ ଏହି ଟଙ୍କା ଜବତ ହୋଇଛି । ତେବେ ଟଙ୍କା ଜବତ କରିବା ପରେ ସମ୍ପୃକ୍ତ ଗାଡି ଓ ବ୍ୟବସାୟୀଙ୍କୁ ପୋଲିସ୍ ଛାଡି ଦେଇଥିବା ସୂଚନା ମିଳିଛି । ବିଜେପୁର ଉପନିର୍ବାଚନକୁ ନେଇ ମାହୋଲ ସରଗରମ ଥିବାବେଳେ ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା ଓ କୁଆଡେ ଯାଉଥିଲା ସେ ନେଇ ସନ୍ଦେହ ବଢ଼ିବାରେ ଲାଗିଛି । ତନାଘନା ଜାରି ରଖିଛି ପୋଲିସ୍ ।

ସେପଟେ, ବଢ଼ୁଛି ବିଜେପୁର ତାତି । ପୂଜା ଛୁଟି ସରିବା ପରେ ବିଜେପୁର ଉପନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି । ବିଭିନ୍ନ ଦଳରେ ନେତା ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ଏହି କ୍ରମରେ ଆଜି ପ୍ରଚାର ପାଇଁ ବିଜେପୁର ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିବେ । ସକାଳ ୧୧ଟାରେ ଗାଇସିଲଟ ବ୍ଲକ ତଳପାଲିଠାରେ ସାଧାରଣ ସଭାରେ ସେ ଯୋଗଦେବେ । ଅପରାହ୍ନ ୧ଟାରେ ବିଜେପୁର ବ୍ଲକ ଲାଉମୁଣ୍ଡାରେ ତାଙ୍କର ରୋଡ ସୋ କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ୪ଟାରେ ବରପାଲି ବ୍ଲକ ଅଗଲପୁରରେ ଆଉ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।