୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ଆୟକର ଛାଡ଼ ସୀମା !  ଏଥର ବଜେଟରେ ଘୋଷଣା କରିପାରନ୍ତି ମୋଦି ସରକାର

206

କନକ ବ୍ୟୁରୋ : ଆଉ ମାତ୍ର କିଛି ମାସର ବ୍ୟବଧାନ । ଆଉ ତା’ପରେ ୨୦୧୯ ଲୋକସଭା ନିର୍ବାଚନ । ଏପରିସ୍ଥଳେ କେନ୍ଦ୍ର ସରକାର ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରିବା ପାଇଁ ଚାହୁଁନାହାନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ ବଜେଟରେ ଆୟକର ରିହାତି ସୀମା ୨.୫ରୁ ବୃଦ୍ଧି କରି ସରକାର ୫ ଲକ୍ଷ ପର୍ଯ୍ୟନ୍ତ କରିପାରନ୍ତି ବୋଲି ଆଶା କରାଯାଉଛି ।

ନିର୍ବାଚନୀ ବର୍ଷରେ ଇନକମ ଟାକ୍ସରେ ଲୋକଙ୍କୁ ବଡ଼ ଆଶ୍ୱସ୍ତି ମିଳିପାରେ । ବାର୍ଷିକ ୫ ଲକ୍ଷ ଆୟ କରୁଥିବା ଲୋକଙ୍କୁ ଇନକମ୍ ଟାକ୍ସ ବାହାରେ ରଖିବା ପାଇଁ ବିଚାର କରୁଛନ୍ତି ମୋଦି ସରକାର   । ୧ ଫେବୃୟାରୀରେ ଉପସ୍ଥାପନ ହେବାକୁ ଥିବା ମୋଦି ସରକାରଙ୍କ ଅନ୍ତରିମ ବଜେଟରେ ଏନେଇ ଘୋଷଣା ହୋଇପାରେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନେତୃତ୍ଵାଧୀନ ଏନଡିଏ ସରକାରର ଏହା ହେଉଛି ଶେଷ ବଜେଟ୍ । ତେଣୁ ମନ୍ତ୍ରଣାଳୟ ବଜେଟ୍ ଭାଷଣ ପାଇଁ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗକୁ ନିଜର ରାୟ ଦେଇ ସାରିଥିବା ସୁଚନା ମିଳିଛି । ଜାନୁଆରୀ ୩୧ ରୁ ଫେବୃଆରୀ ୧୩ ପର୍ଯ୍ୟନ୍ତ ଏହି ବଜେଟ୍ ଅଧିବେଶନ ଚାଲିବ ।

ବର୍ତ୍ତମାନ ସମୟରେ ୨.୫ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା ଲୋକମାନେ କୌଣସି ଆୟକର ଦେଉନାହାନ୍ତି । ଅନ୍ୟପଟେ ୨.୫ ରୁ ୫ ଲକ୍ଷ ଆୟ ଉପରେ ୫ ପ୍ରତିଶତ ଦରରେ ଆୟକର ଆଦାୟ କରାଯାଉଛି । ୫ରୁ ୧୦ ଲକ୍ଷ ଉପରେ ୨୦ ପ୍ରତିଶତ ଓ ୧୦ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟାକ୍ସ ଦେବାକୁ ପଡ଼ୁଛି । ସୂଚନା ଅନୁସାରେ ଚଳିତ ଥର କର୍ପୋରେଟ୍ ଟାକ୍ସରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ତେବେ ବତ୍ତର୍ମାନ ମାତ୍ର ଏକ ପ୍ରତିଶତ ଅଛି କର୍ପୋରେଟ୍ ଟାକ୍ସ ।