ଇଣ୍ଡୋନେସିଆର ଜାକର୍ତାଠାରେ ଆରମ୍ଭ ହେଲା ୧୮ତମ ଏସୀୟ କ୍ରୀଡା ପ୍ରତିଯୋଗିତା । ୪୫ ଦେଶର ୧୩ହଜାର ଖେଳାଳୀଙ୍କ ଅଂଶ ଗ୍ରହଣ

55

କନକ ବ୍ୟୁରୋ : ଇଣ୍ଡୋନେସିଆର ଜାକର୍ତାସ୍ଥିତ ଗେଲୋରା ବଙ୍ଗ୍ କର୍ନୋ ମେନ୍ ଷ୍ଟାଡିୟମରେ୧୮ତମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ଗତକାଲି ଉଦଘାଟିତ ହୋଇଛି। ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ଵିଦୋଦୋ ଏକ ବିଶେଷ ଉତ୍ସବରେ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ପରେ ପରେ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ, ସଂଗୀତ ଓ ନୃତ୍ୟର ତାଳେ ତାଳେ ଖେଳାଳିମାନେ ମାର୍ଚ ପାଷ୍ଟ କରିଥିଲେ। ୫୦,୦୦୦ରୁ ଊର୍ଧ୍ୱ ଲୋକ ଗେଲୋରା ଷ୍ଟାଡିୟମରେ ପ୍ରତ୍ୟକ୍ଷ ଭାବେ ଏହାର ମଜା ନେଇଥିଲେ। ‘ଏନର୍ଜି ଅଫ୍ ଏସିଆ’ ବାର୍ତା ନେଇ ଏହି ପ୍ରତିଯୋଗିତା ଆୟୋଜିତ ହୋଇଛି। ମାର୍ଚ ପାଷ୍ଟ୍ରେ ଆଫଗାନିସ୍ତାନ ପ୍ରଥମେ ଆସିଥିଲା ।

 

୧୮ ବର୍ଷୀୟ ବାଂଲାଦେଶୀ ଖେଳାଳି ଦେଶର ପତାକା ଧରିଥିଲେ। ଉତ୍ତରକୋରିଆ ଏବଂ ଦକ୍ଷିଣ କୋରିଆ ମିଳିତଭାବେ ମାର୍ଚ ପାଷ୍ଟରେ ଭାଗ ନେଇଥିଲେ। ଶେଷ ମୁହୂର୍ତରେ ଅନ୍ତର୍ଜାତୀୟ ଅଲିମ୍ପିକ୍ ସଂଘର ବାସନ୍ଦ ଉଠିବାରୁ କୁଏତ ମଧ୍ୟ ନିଜ ପତାକା ତଳେ ମାର୍ଚ ପାଷ୍ଟ୍ କରିଥିଲା। ୧୯୯୨ ମସିହା ବାର୍ସିଲୋନା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ବ୍ୟାଡମିଣ୍ଟନ କିମ୍ବଦନ୍ତୀ ସୁସୀ ସୁଶାନ୍ତି ମଶାଲ ସଂଯୋଗ କରିଥିଲେ। ଜୋଏ ଆଲେକଜାଣ୍ଡର୍ ମୁଖ୍ୟ ଆକର୍ଷଣ ଥିଲେ। ୧୫୦୦ ପାରମ୍ପରିକ ଇଣ୍ଡୋନେସୀୟ ଯୁବତୀଙ୍କ କାର୍ଯ୍ୟକ୍ରମ ‘ଆସ୍ ସଲାମୁ ଆଲୟକୁମ୍’ ଦର୍ଶକଙ୍କୁ ମନମୁଗଧ କରିଦେଇଥିଲା। ୪୫ ଦେଶରୁ ଆସିଥିବା ପ୍ରାୟ ୧୩,୦୦୦ ଖେଳାଳି ୪୦ ଖେଳର ୬୭ ଶୃଙ୍ଖଳାରେ ଭାଗନେବେ। ପ୍ରାୟ ୪୨୬ ପଦକ ପାଇଁ ହେବ ରବିବାରଠାରୁ ଲଢ଼େଇ। ମାର୍ଚ ପାଷ୍ଟ୍ ବେଳେ ଭାରତୀୟ ଦଳର ତ୍ରିରଙ୍ଗା ଧରିଥିଲେ ଜାଭଲିନ୍ ଫିଙ୍ଗାଳି ନୀରଜ ଚୋପ୍ରା। ଏହି ଦୁଇ ସପ୍ତାହ ବ୍ୟାପୀ ପ୍ରତିଯୋଗିତା ଲାଗି ଭାରତୀୟ ଅଲିମ୍ପିକ ସଂଘ ୫୭୨ ଜଣିଆ ଦଳ ପଠାଇଛି । ଯେଉଁମାନେ ମୋଟ ୩୬ ଖେଳରେ ଭାଗନେବେ। ଭାରତୀୟ ଦଳକୁ ଉଦଘାଟନ ଉତ୍ସବ ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଧନ ସିଂହ ରାଠୋର ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।