ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୮୬ ସ୍ୱତନ୍ତ୍ର ଟ୍ରେନ୍‌ !

40

କନକ ବ୍ୟୁରୋ : ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ୧୮୬ ସ୍ୱତନ୍ତ୍ର ଟ୍ରେନ୍‌ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୂର୍ବତଟ ରେଳପଥ, ଖୋର୍ଦ୍ଧାରୋଡ୍‌ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶ୍ରୀଗୁଣ୍ଡିଚା ଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପୁରୀକୁ ଦେଶର ବିିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଆସନ୍ତା ୨୫ ତାରିଖଠାରୁ ୪ ଜୁଲାଇ ପର୍ଯ୍ୟନ୍ତ ମୋଟ ୧୮୬ଟି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି ।

ସେଥିମଧ୍ୟରୁ ଗୁଣ୍ଡିଚା ଯାତ୍ରା (୨୫ ତାରିଖ) ଦିନ ପୁରୀକୁ ୩୪ଟି ଟ୍ରେନ୍‌ ଚଳାଚଳ କରିବାର ବ୍ୟବସ୍ଥା କରାଯାଇଥିବା ବେଳେ ୨୬ରୁ ୧ ଜୁଲାଇ ପର୍ଯ୍ୟନ୍ତ ୭୨ଟି ଟ୍ରେନ୍‌ ଚଳାଚଳ କରିବ । ସେହିପରି ୨ ଜୁଲାଇ ସଂଧ୍ୟା ଦର୍ଶନ ଦିନ ୧୪ଟି, ୩ ଜୁଲାଇ ବାହୁଡ଼ା ଯାତ୍ରା ଦିନ ୩୨ଟି ଓ ୪ ଜୁଲାଇ ସୁନାବେଶ ଦିନ ୩୪ଟି ଟ୍ରେନ୍‌ ଚଳାଚଳ କରିବ ବୋଲି ସୂଚନା ଦିଆଯାଇଛି ।

ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀ ଷ୍ଟେସନ୍‌ରେ ୩୬ଟି ଟିକେଟ୍‌ ବୁକିଂ କାଉଣ୍ଟର ଖୋଲାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଭୁବନେଶ୍ୱର, କଟକ, ଖୋର୍ଦ୍ଧାରୋଡ୍‌ ଜଙ୍କସନ୍‌, ବ୍ରହ୍ମପୁର, ବାଲୁଗାଁ, ଖଲ୍ଲିକୋଟ, ପାରାଦୀପ, ଭଦ୍ରକ, ଯାଜପୁର-କେଉଁଝର ରେଳ ଷ୍ଟେସନ୍‌ରେ ଅତିରିକ୍ତ ୨୪ଟି କାଉଣ୍ଟର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ସେହିପରି ପୁରୀ ଷ୍ଟେସନରେ ୫ହଜାର ଯାତ୍ରୀଙ୍କ ପାଇଁ ବିଶ୍ରାମାଗାରର ବ୍ୟବସ୍ଥା କରାଯାଇଛି । ଏଥିରେ ଯାତ୍ରୀମାନଙ୍କ ପାଇଁ ରହିବା, ଖାଇବା, ଗାଧୋଇବାଠାରୁ ଆରମ୍ଭ କରି ଚିକିତ୍ସା କେନ୍ଦ୍ରର ସୁବିଧା କରାଯିବ । ସୁରକ୍ଷା, ନିରାପତ୍ତା ଓ ଅସାମାଜିକ ତତ୍ତ୍ୱଙ୍କ ଉପରେ ଦୃଷ୍ଟି ରଖିବାକୁ ଷ୍ଟେସନ୍‌ ସମେତ ଆଖାପାଖ ଅଞ୍ଚଳରେ ସିସିଟିଭି ସ୍ଥାପନ କରାଯିବ। ଏହାବ୍ୟତୀତ ବହୁ ସଂଖ୍ୟାରେ ଆରପିଏଫ, ଜିଆରପି, ସନ୍ଧାନୀ କୁକୁର ସହ ଯଓ୍ଵାନମାନଙ୍କୁ ଷ୍ଟେସନ୍‌ ଅଞ୍ଚଳରେ ମୁତୟନ କରାଯିବ।

ଜଟଣୀ ଖୋର୍ଦ୍ଧାରୋଡ୍‌ ସ୍ଥିତ ମଣ୍ଡଳ ରେଳ ପ୍ରବନ୍ଧକଙ୍କ ସଭାଗୃହରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରେଳ ପ୍ରବନ୍ଧକ ବ୍ରଜମୋହନ ଅଗ୍ରଓ୍ଵାଲ ଅଧ୍ୟକ୍ଷତା କରି ଏହି ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତଟ ରେଳପଥର ବହୁ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ ।