ତାମିଲନାଡୁର ପଲାନିସ୍ୱାମୀ ସରକାରଙ୍କୁ ବଡ ଆଶ୍ୱସ୍ତି ! ୧୮ ଜଣ ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା କାଏମ ରଖିଲେ ମାଡ୍ରାସ ହାଇକୋର୍ଟ ।

46

କନକ ବ୍ୟୁରୋ : ତାମିଲନାଡୁର ପଲାନିସ୍ୱାମୀ ସରକାରଙ୍କୁ ବଡ ଆଶ୍ୱସ୍ତି । ୧୮ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ ନିଷ୍ପତିକୁ କାଏମ ରଖିଲେ ମାଡ୍ରାସ ହାଇକୋର୍ଟ । ଦିନାକରଣ ଗୋଷ୍ଠୀର ଯେଉଁ ୧୮ ଜଣ ବିଧାୟକଙ୍କ ସଦସ୍ୟତାକୁ ତାମିଲନାଡୁ ବିଧାନସଭାର ବାଚସ୍ପତି ରଦ୍ଦ କରିଥିଲେ ସେହି ବିଧାୟକମାନଙ୍କ ଅଯୋଗ୍ୟତାକୁ ହାଇକୋର୍ଟ କାଏମ ରଖିଛନ୍ତି । ତାମିଲନାଡୁ ବିଧାନସଭାର ବାଚସ୍ପତିଙ୍କ ନିଷ୍ପତିକୁ ମାଡ୍ରାସ ହାଇକୋର୍ଟ ବିଚାରପତି ଜଷ୍ଟିସ ଏମ୍. ସତ୍ୟନାରାୟଣ କାଏମ ରଖିଛନ୍ତି ।

ଦିନାକରଣ ଗୋଷ୍ଠୀର ସମର୍ଥକ କୁହାଯାଉଥିବା ଏହି ୧୮ ଜଣ ବିଧାୟକ ଗତ ବର୍ଷ ଅଗଷ୍ଟ ୨୨ ତାରିଖରେ ରାଜ୍ୟପାଳ ବିଦ୍ୟାସାଗର ରାଓଙ୍କୁ ସାକ୍ଷାତ କରିଥିଲେ । ଏହା ପରେ ରାଜ୍ୟରେ କ୍ଷମତାସୀନ ଏଆଇଏଡିଏମକେ ସରକାରଙ୍କୁ ଦିନାକରଣ ଗାଦିଚ୍ୟୁତ କରିବାକୁ ଉଦ୍ୟମ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ପରେ ତାମିଲନାଡୁ ବିଧାନସଭାର ବାଚସ୍ପତି ପି. ଧନପାଲ ଏହି ବିଦ୍ରୋହୀ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ ।

ଫଳରେ ଆସ୍ଥା ଭୋଟ୍ରେ ମଧ୍ୟ ଏହି ୧୮ ଜଣ ବିଧାୟକ ଭୋଟ୍ ଦେଇ ପାରିନଥିଲେ । ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଁଚିଥିଲା । ତେବେ ମାମଲାର ବିଚାର ପାଇଁ ତାମିଲନାଡୁ ହାଇକୋର୍ଟର ବିଚାରପତି ଜଷ୍ଟିସ ଏମ୍. ସତ୍ୟନାରାୟଣଙ୍କୁ ଦାୟିତ୍ୱ ଦେଇଥିଲେ ସୁପ୍ରିମକୋର୍ଟ । ତେଣୁ ଆଜି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପଲାନିସ୍ୱାମୀ ସରକାର ଉପରୁ ସଙ୍କଟ ଟଳି ଯାଇଛି ।