ବ୍ରହ୍ମପୁର କୁଲଟା ହତ୍ୟାକାଣ୍ଡ ମାମଲାରେ ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡ : ୨୦୦୭ରେ କୁଲଟାରେ ହୋଇଥିଲା ହତ୍ୟାକାଣ୍ଡ

473

କନକ ବ୍ୟୁରୋ : ବ୍ରହ୍ମପୁର କୁଲଟା ହତ୍ୟାକାଣ୍ଡ ମାମଲାରେ ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡ । ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜଜ ଏହି ଦଣ୍ଡାଦେଶ ଦେଇଛନ୍ତି । ହତ୍ୟାକାଣ୍ଡ ଘଟଣାରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି । ୨୦୦୭ରେ କୁଲଟାରେ ହତ୍ୟାକାଣ୍ଡ ହୋଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ମହେଶ୍ୱର ସାସମଲଙ୍କର ମୃତ୍ୟୁ ଘଟିଥିଲା । ୨୦୦୭ ମସିହାରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ଆଜି ରାୟ ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, କୁଲଟା ଗ୍ରାମର ମହେଶ୍ୱର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିଲେ । ଯାହାକୁ ନେଇ ଗାଁରେ ଶାନ୍ତି କମିଟି ଗଠନ ହୋଇଥିଲା । ତେବେ ୨୦୦୭ ମସିହାରେ ଏହି କମିଟିର ୧୯ ଜଣ ମହେଶ୍ଵରଙ୍କ ଉପରେ ଆକ୍ରମଣ କରିଥିଲେ । ଯାହାଫଳରେ ମହେଶ୍ୱରଙ୍କର ମୃତ୍ୟୁ ହୋଇଯାଇଥିଲା ।ସଦର ଥାନାରେ ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ୧୯ ଜଣଙ୍କୁ ଗିରଫ କରିଥିଲା । ଘଟଣାରେ ସେହି ଗ୍ରାମର ମୋଟ ୧୯ଜଣ ଗିରଫ ହୋଇ ଜେଲ ଯାଇଥିଲେ। ପରବର୍ତ୍ତୀ ସମୟରେ ସମସ୍ତେ ସର୍ତ୍ତମୂଳକ ଜାମିନରେ ମୁକୁଳିଥିଲେ। ଏହି ମାମଲାରେ ମୋଟ ୧୨ ଜଣ ସାକ୍ଷୀ ଥିବାବେଳେ ସେମାନଙ୍କର ବୟାନ ଓ ପ୍ରମାଣକୁ ଭିତ୍ତି କରି ଆଜି ଅତିରିକ୍ତ ଜିଲ୍ଲା ଦୌରା ଜଜ ନିଜ ଚୂଡାନ୍ତ ରାୟ ପ୍ରକାଶ କରି ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ବିଚାରଧୀନ ବନ୍ଦୀ ଭାବରେ ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଦୋଷୀମାନଙ୍କୁ ୫ ହଜାର ଲେଖାଏଁ ଜରିମାନା ଏବଂ ମହେଶ୍ଵରଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।