ପୋଖରୀ ଖୋଳୁ ଖୋଳୁ ମିଳିଲା ଶଙ୍ଖ । ଗୋଟିଏ ନୁହେଁ କି ଦୁଇଟି ନୁହେଁ ମାଟି ତଳୁ ମିଳିଲା ଶତାଧିକ ଶଙ୍ଖ

79

କନକ ବ୍ୟୁରୋ: ପୋଖରୀ ଖୋଳୁ ଖୋଳୁ ମିଳିଲା ଶଙ୍ଖ । ପୁଣି ଗୋଟିଏ ନୁହେଁ କି ଦୁଇଟି ନୁହେଁ ମାଟି ତଳୁ ମିଳିଲା ଶତାଧିକ ଶଙ୍ଖ । ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଜଳେଶ୍ୱରପୁରରେ । ଜଗନ୍ନାଥ ଯତିଙ୍କ ବାଡି ପଟେ ଏକ ନୂଆ ପୋଖରୀ ଖୋଳା ହେଉଥିବା ବେଳେ ଏହି ଶଙ୍ଖ ସବୁ ମିଳିଛି । ଗତକାଲି ମାଟି ଖୋଳା ଚାଲିଥିବା ବେଳେ ପ୍ରାୟ ୪ ଫୁଟ ତଳୁ ୧୭୪ରୁ ଅଧିକ ଶଙ୍ଖ ମିଳିଛି । ଆଜି ମଧ୍ୟ ପୁଣି ମାଟି ଖୋଳାଯିବ ।

 

ମିଳିଥିବା ସୂଚନା ଅନୁସାରେ,ଜଳେଶ୍ୱରପୁର ମଝିସାହି ଗାଁର ଜଗନ୍ନାଥ ଯତି ନାମକ ଜଣେ ବ୍ୟକ୍ତି ନିଜ ଜମିରେ ଚିଙ୍ଗୁଡ଼ି ଚାଷ ପାଇଁ ପୋଖରି ଖୋଳୁଥିଲେ । ମାତ୍ର ୪ ଫୁଟ୍ ଖୋଳିବା ପରେ ପୋଖରି ଖୋଳିବା କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ଶଙ୍ଖ ପାଇଥିଲେ । ତେବେ ଏହା ଗୋଟିଏ କିମ୍ବାଦୁଇଟି ନ ଥିଲା । ଏଠାରୁ ଉଦ୍ଧାର ହୋଇଥିଲା ଶତାଧିକ ଶଙ୍ଖ। ଏହି ସବୁ ଶଙ୍ଖକୁ ସଂଗ୍ରହ କରିବାରୁ ଏହାର ସଂଖ୍ୟା ହୋଇଥିଲା ୧୭୪।

ସୂଚନା ଯୋଗ୍ୟ, ଯେ ଜଳେଶ୍ୱର ଗାଁ ଠାରୁ ସମୁଦ୍ର ପ୍ରାୟ ୨୫ କିଲୋମିଟର ଦୂରରେ । ତେଣୁ ସମୁଦ୍ର ଠାରୁ ଏତେ ଦୂରରେ ଏତେ ବିପୁଳ ପରିମାଣର ସାମୁଦ୍ରିକ ଜୀବଙ୍କ ଦେହାବଶେଷ କିପରି ମିଳିଲା ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।