ଦେବଗଡର ୧୭ ଟି ଗାଁରେ ପହଂଚି ପାରୁନି ପୁଲିସ : ଅପରାଧୀଙ୍କୁ ଧରିବା ଦୂରର କଥା ପୀଡ଼ିତ ପାଉନାହାନ୍ତି ସେବା

45

କନକ ବ୍ୟୁରୋ : ସୁରକ୍ଷା ପାଇବାରୁ ବଂଚିତ ୧୭ ଖଣ୍ଡ ଗାଁ । ଗାଁଠାରୁ ଶତାଧିକ କିଲୋମିଟର ଦୂରରେ ଥାନା । ଦେବଗଡ ଜିଲ୍ଲା ବାରକୋଟ ବ୍ଲକରେ ରହିଛି ରାଇତାବାହାଳ ପଂଚାୟତର ଚାରିମଂଚା, ଗୋଠମଡା, ରତନପୁର, ଗଣନାଥପୁର, ହରିହରପୁର, ଭଗତପୁର ଓ ସୁନାମୁଣ୍ଡା ଭଳି ୭ଖଣ୍ଡ ଗାଁ । ସେହିଭଳି ତିଲେଇବଣି ବ୍ଲକ ଅଧିନରେ ରହିଛି ବଡଛାପଲ ପଂଚାୟତର ବଡଛାପଲ, ବାବୁରୀକାନୀ, ତିରିବ, ପାର୍ବତୀପୁର, ଗିନାହଜା, ବ୍ରହ୍ମସାଧୁବାହାଲ, କୋହ୍ଲପାଲି, ମେଣ୍ଢିପାଲି, ଭୁଲକାବାହାଲ ଓ ହାତୀପଥର ଭଳି ୧୦ ଟି ଗାଁ । ଏହି ଗାଁ ଗୁଡିକ ୧୨୦ କିଲୋମିଟର ଦୂରରେ କୁଣ୍ଢେଇଗୋଳା ଥାନା ଅଧିନରେ ରହିଛି ।

 

ରେଙ୍ଗାଳୀ ନଦୀବନ୍ଧ ଯୋଜନା ପୂର୍ବରୁ ଗାଁ ଗୁଡିକ ତତ୍କାଳୀନ ନଇକୂଳ ଥାନା ଓ ନଇକୂଳ ବ୍ଲକରେ ଥିଲା । ୧୯୮୨-୮୩ରେ ରେଙ୍ଗାଳୀ ନଦୀଗର୍ଭରେ ନଇକୂଳ ଥାନା ଓ ନଇକୂଳ ବ୍ଲକ ହଜିଯିବାରୁ ଗାଁ ଗୁଡିକୁ ବାରକୋଟ ବ୍ଲକ ଓ ତିଲେଇବଣି ବ୍ଲକ ଏବଂ ସେଠାରୁ ୧୨୦ କିଲୋମିଟର ଦୂର କୁଣ୍ଢେଇଗୋଳା ଥାନାରେ ସାମିଲ କରାଯାଇଛି । ଫଳରେ ସମ୍ପୃକ୍ତ ଅଂଚଳରେ କିଛି ଘଟଣା ଦୁର୍ଘଟଣା ଘଟିଲେ ପୁଲିସ ପାଖରେ ଖବର ପହଂଚି ପାରୁନଥିବା ଅଭିଯୋଗ ହୋଇଛି ।

ରାସ୍ତାଘାଟର ବିଶେଷ ସୁବିଧା ନଥିବା ଅଂଚଳର ଲୋକ ଅଭିଯୋଗ କରିବା ପାଇଁ ୩ଟି ଥାନା ବାରକୋଟ, ଦେବଗଡ ଓ ରିଆମାଳ ଥାନା ଡେଇଁ କୁଣ୍ଢେଇଗୋଳା ଥାନାକୁ ଯାଇଥାନ୍ତି । ଥରେ ଥାନାକୁ ଗଲେ ରାତ୍ରୀରହଣୀ ପାଇଁ ବ୍ୟବସ୍ଥା କରିବାକୁ ପଡେ । ସମୟ ସାପେକ୍ଷ ହୋଇଥିବାରୁ ଲୋକ ଅନେକ ଘଟଣାକୁ ଥାନାକୁ ନନେଇ ଚପାଇଦେବାକୁ ବାଧ୍ୟ ହୁଅନ୍ତି । ଆଉ ଯଦି ହତ୍ୟା କି ଅପମୃତ୍ୟୁ ଘଟେ ତେବେ ଉଦ୍ଧାର ଓ ଶବ ବ୍ୟବଚ୍ଛେଦ ପାଇଁ ପୁଲିସକୁ ୨ରୁ ୩ ଦିନ ସମୟ ଲାଗିଥାଏ । ଗାଁ ଗୁଡିକୁ ୩୦-୪୦ କିଲୋମିଟର ଦୂର ବାରକୋଟ ଥାନା ଓ ଦେବଗଡ ଥାନାରେ ସାମିଲ କରିବାକୁ ଦାବି ହେଉଥିଲେ ସୁଦ୍ଧା କିଛି ସୁଫଳ ନମିଳିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।