ରାଜସ୍ଥାନ ଓ ଗୁଜରାଟରେ ଜଳତାଣ୍ଡବରେ ଲୋକେ ବେହାଲ

26

କନକ ବ୍ୟୁରୋ: ଗୁଜରାଟରେ ବନ୍ୟା ବୀଭିଷିକା । ରାଜ୍ୟର ବିଭିନ୍ନ ଅଂଚଳରେ ଆସିଥିବା ବନ୍ୟାରେ ଏପର୍ଯ୍ୟନ୍ତ ୧୨୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା ଆହୁରୀ ବଢିବା ଆଶଙ୍କା କରାଯାଉଛି । ବନ୍ୟା ବିପନ୍ନଙ୍କ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ପୂର୍ବରୁ ଏନଡିଆରଏଫର ୨୨ଟି ଦଳ ମୁତୟନ କରାଯାଇଥିବାବେଳେ ଏବେ ପୁଣି ୧୦ଟି ଟିମ ଗୁଜରାଟକୁ ପଠାଯିବ । ଉଦ୍ଧାର କାର୍ଯ୍ୟରେ ସ୍ଥଳସେନା ଓ ବାୟୁସେନା ନିୟୋଜିତ ଅଛନ୍ତି ।

ଚାରିଆଡେ ବନ୍ୟା ପାଣି ମାଡି ଯାଇଥିବାରୁ ହେଲିକପ୍ଟରଯୋଗେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାୟୁସେନାର ହେଲିକପ୍ଟର ମାଧ୍ୟମରେ ବନ୍ୟାରେ ଭସିଥିବା ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଉଛି । ଗୁଜରାଟ ମଧ୍ୟ ଆହୁରି ୪୮ଘଂଟା ବର୍ଷା ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

ସେପଟେ ରାଜସ୍ଥାନରେ ମଧ୍ୟ ବନ୍ୟା ହୋଇଛି । ରାଜ୍ୟର ୪ଟି ଜିଲ୍ଲାର ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଆଗାମୀ ୪୮ଘଂଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବର୍ଷା ବଢିଲେ ଲୋକଙ୍କ ଦୁର୍ଦ୍ଦଶା ମଧ୍ୟ ବଢିବ । ବର୍ଷା ଯୋଗୁଁ ନଦୀ ଗୁଡିକରେ ଜଳସ୍ତର ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି ।

ରାଜସ୍ଥାନର ଜାଲୋରୀ, ପାଲି, ବାଇମେର ଓ ରାଜସମୁନ୍ଦରୁ ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସ୍ଥଳସେନା, ବାୟୁସେନା,ଏନଡିଆରଏଫ, ଏସଡିଆରଏଫ ଓ ସିଆରପିଏଫକୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ବାୟୁସେନାର ୨ଟି ହେଲିକପ୍ଟରକୁ ମଧ୍ୟ ନିୟୋଜିତ କରାଯାଇଛି ।