ଭିତରେ ଟିମ ପଶିଲା, ବାହାରେ ଉତ୍କଣ୍ଠା ବଢିଲା ! ସର୍ଚ୍ଚ ଲାଇଟ ଓ ଅକ୍ସିଜେନ ଧରି ମନ୍ଦିର ଭିତରକୁ ଗଲା ଓଡ଼୍ରାଫ୍ ଟିମ୍

53

କନକ ବ୍ୟୁରୋ : ରତ୍ନଭଣ୍ଡାର ଖୋଲିବା ନେଇ ସମୟ ଯେତିକି ପାଖେଇ ଆସୁଛି ଉକ୍ରଣ୍ଠା ମଧ୍ୟ ସେତିକି ବଢୁଛି । ଆଉ ଅଳ୍ପ ସମୟ ମଧ୍ୟରେ ରତ୍ନଭଣ୍ଡାର ଖୋଲାଯିବ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇସାରିଛି । ରତ୍ନଭଣ୍ଡାର ଖୋଲିବା ପାଇଁ ଶ୍ରୀମନ୍ଦିର ପରିସରକୁ ଜଣକ ପରେ ଜଣେ ଅଧିକାରୀ ପହଞ୍ଚିଛନ୍ତି । ଗଜପତି ମହାରାଜଙ୍କ ପ୍ରତିନିଧି ଚାବି ଧରି ଶ୍ରୀମନ୍ଦିର ଭିତରେ ପହଞ୍ଚିଥିବା ସୂଚନା ମିଳିଛି । ମୋଟ ୧୭ ଜଣ ସଦସ୍ୟ ରତ୍ନଭଣ୍ଡାର ମଧ୍ୟକୁ ପ୍ରବେଶ କରିବେ ବୋଲି ଜଣାପଡିଛି । ତେବେ ଭଣ୍ଡାର ଗୃହକୁ ପ୍ରବେଶ କରିବା ପୂର୍ବରୁ ଯାଞ୍ଚ କମିଟିର ସମସ୍ତ ସଦସ୍ୟ ଗାମୁଛା ପିନ୍ଧିବେ ବୋଲି ସ୍ଥିର କରାଯାଇଛି । ଯାହାକୁ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ । ଭଣ୍ଡାର ଗୃହ ଭିତରକୁ ଯିବା ପୂର୍ବରୁ ସମସ୍ତ ସଦସ୍ୟଙ୍କର ବଡି ସ୍କାନିଂ କରାଯିବ ।

ତେବେ ବର୍ଷବର୍ଷ ଧରି ବନ୍ଦ ପଡିଥିବା ରତ୍ନଭଣ୍ଡାର ଖୋଲିବା ସମୟରେ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଅଣ୍ଟା ଭିଡିଛି ଶ୍ରୀମନ୍ଦିର ପ୍ରଶାସନ । ଲୋକକଥା ଅନୁଯାୟୀ ଶ୍ରୀନ୍ଦିରରେ ସାପ ଥିବା କଥା ଚର୍ଚ୍ଚା ହେଉଥିବାରୁ ସ୍ନେକ ହେଲ୍ପଲାଇନର ୪ ଜଣିଆ ସଦସ୍ୟ ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି । ଏହାଛଡା ଅଗ୍ନିଶମ ବିଭାଗ, ଓଡ଼୍ରାଫ ଟିମ୍ ଓ ବମ୍ ସ୍କ୍ୱାର୍ଡ ମଧ୍ୟ ଶ୍ରୀମନ୍ଦିର ଭିତରକୁ ଯାଇଛନ୍ତି । ମେଟାଲ ଡିଟେକ୍ଟର ସହ ବମ ସ୍କ୍ୱାର୍ଡ ଭିତରକୁ ଯାଇଥିବା ବେଳେ ସ୍ନେକ ହେଲ୍ପଲାଇନର ସଦସ୍ୟ ପୁରା ପ୍ରସ୍ତୁତି ସହ ମନ୍ଦିରରେ ପହଞ୍ଚିଛନ୍ତି । ଏଲଇଡି ଲାଇଟ ଓ ଅକ୍ସିଜେନ ଧରି ଓଡ଼୍ରାଫ ଟିମ୍ ମନ୍ଦିର ଭିତରକୁ ଯାଇଥିବା ସୂଚନା ମିଳିଛି ।