ଦିଲ୍ଲୀ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ! ଆଖି ଆଗରେ ମୃତ୍ୟୁର ବିଭୀଷିକା, ଜିଅନ୍ତା ଜଳିଗଲେ ମଣିଷ ।

438

କନକ ବ୍ୟୁରୋ : ଦିଲ୍ଲୀର ବ୍ୟସ୍ତ ବହୁଳ କରୋଲ ବାଗ ଅଂଚଳରେ ଥିବା ଅର୍ପିତ ପ୍ୟାଲେସ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଭୋର ୪ଟା ବେଳେ ହୋଟେଲରେ ନିଆଁ ଲାଗି ୧୭ଜଣଙ୍କର ମୃତ୍ୟୁ ହୋଇଛି  । କେହି କିଛି ବୁଝିବା ଆଗରୁ ନିଦରେ ହିଁ ଚାଲିଯାଇଛି ଅନେକ ଜୀବନ  । ହୋଟେଲର ସ୍ମୋକ ଆଲାର୍ମ କାମ ଦେଉନଥିବା ବେଳେ ଏମରଜେନ୍ସି ଏଗଜିଟ ମଧ୍ୟ କାମ ଦେଉନଥିବା କାରଣରୁ ଅଗ୍ନିକାଣ୍ଡରେ ଅଧିକ ଲୋକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ଆସନ୍ତୁ ଜାଣିବା କେମିତି ଥିଲା ପୁରା ଘଟଣା ।

ଗିଳିଗଲା ଯମନିଆଁ । ନିଆଁ ନେଲା ୧୭ ଜୀବନ । ଦିଲ୍ଲୀର ଅର୍ପିତ ପ୍ୟାଲେସରେ ଭୟାବହ ଅଗ୍ନିକାଣ୍ଡ  । ଭୋର ୪ଟା ବେଳେ ହୋଟେଲରେ ନିଆଁ ଲାଗି ୧୭ଜଣଙ୍କର ମୃତ୍ୟୁ ହୋଇଛି  । ପରିସ୍ଥିତି ଏପରି ହୋଇଥିଲା ଜୀବନ ବିକଳରେ ୪ତାଲାରୁ ଡେଇଁ ପଡିଥିଲେ କିଛି ଲୋକ । ଏହି ଘଟଣା ଆପଣଙ୍କର ରୋମ ଟାଙ୍କୁରି ଦେବ । କିଭଳି ଜୀବନ ବଂଚାଇବା ପାଇଁ ଜୀବନକୁ ବାଜି ଲଗାଇବାକୁ ପଛାଇଲେ ନାହିଁ ନୀରିହ ।

ଆଖି ଆଗରେ ମୃତ୍ୟୁର ବିଭୀଷିକା । ଜିଅନ୍ତା ଜଳିଗଲେ ମଣିଷ । ୪ମହଲା ବିଶିଷ୍ଟ ଏହି ହୋଟେଲର ପ୍ରଥମ ମହଲାରେ ନିଆଁ ଲାଗିବା ପରେ ଏହା ବ୍ୟାପିବାକୁ ଲାଗିଥିଲା  । ତେବେ ସଟସର୍କିଟ କାରଣରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ହୋଟେଲରେ ନିଆଁ ଲାଗିବା ପରେ ଫଶିରହିଥିବା ଲୋକଙ୍କ ଚିକ୍ରାର ଶୁଣି ଆଖ ପାଖ ଲୋକ ଏକାଠି ହୋଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ।

ତେବେ ଅଗ୍ନିଶମ ଗାଡି ୧୫ ମିନିଟ୍ ବିଳମ୍ବରେ ପହଂଚିବା ସହ ଗାଡିରେ ଥିବା ସିଡିରେ ତ୍ରୁଟି ଥିବା ଯୋଗୁଁ ଠିକଣା ସମୟରେ ୪ମହଲାରେ ପହଂଚି ପାରିନଥିଲେ ଅଗ୍ନିଶମ କର୍ମଚାରୀ  । ଦିଲ୍ଲୀର ବ୍ୟସ୍ତବହୁଳ କରୋଲ ବାଗ ଅଂଚଳରେ ଥିବା ଏହି ହୋଟେଲରେ ଦିଲ୍ଲୀ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଅଧିକ ଥିଲା । ୪ମହଲାରୁ ଡେଇଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ରହିଛନ୍ତି । ମୃତକଙ୍କ ମଧ୍ୟରେ ଦୁଇ ଜଣ ମିୟାଁମାରର ହୋଇଥିବା ବେଳେ କେରଳ ଓ କୋଚିନରୁ ଆସିଥିବା ପର୍ଯ୍ୟଟକ ମଧ୍ୟ ଥିଲେ ।

ସେପଟେ ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି  । ଏବଂ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ପୁଲିସ ସେନେଇ ଅଧିକ ତଦନ୍ତ ଜାରି ରଖିଛି । ଅପରପକ୍ଷରେ ଅବହେଳା ଦର୍ଶାଇ ପୁଲିସ ମାମଲା ରୁଜୁ କରିବା ସହ ହୋଟେଲ ମାଲିକଙ୍କୁ ପଚରାଉଚରା କରୁଛି ।