ବଲାଙ୍ଗୀର : ବିନା ହେଲମେଟରେ ସ୍କୁଟିରେ ତିନି ଜଣ ଗଲା ବେଳେ ଧରିଲା ପୁଲିସ, ନାବାଳକ ଚାଳକ ନେହୁରା ହେଉଥିବାର ଭିଡିଓ ଭାଇରାଲ

57

କନକ ବ୍ୟୁରୋ : ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ଟ୍ରାଫିକ୍ ନିୟମ କଡ଼ାକଡ଼ି ହେଉଛି । ତଥାପି ସଚେତନ ହେଉନାହାନ୍ତି ଲୋକେ । ଟ୍ରାଫିକ ନିୟମ ଭାଙ୍ଗିବା ଗର୍ବର ବିଷୟ ବୋଲି ଭାବୁଛନ୍ତି । ଅନେକ ସମୟରେ ଛୋଟ ଛୋଟ ପିଲା ମଧ୍ୟ ଗାଡ଼ି ଚଳାଇବାର ଦେଖାଦେଉଛି । ଯଦ୍ୱାରା ଦୁର୍ଘଟଣା ହେବାର ମଧ୍ୟ ଦେଖିବା ପାଇଁ ମିଳୁଛି । ତେବେ ଏହାରି ଭିତରେ ଜଣେ ୧୬ ବର୍ଷ ଗାଡ଼ି ଚାଳକର ଭିଡ଼ିଓ ଭାଇରାଲ ହୋଇଛି ।

ବଲାଙ୍ଗୀରରେ ହେଲମେଟ ଚେକିଂକୁ ବାଧ୍ୟତାମୂଳକ କରାଯାଇଛି । ୮ ତାରିଖରୁ ଚେକିଂକୁ ବି ଜୋରଦାର କରାଯାଇଛି । ଏହି ସମୟରେ ଏକ ରୋଚକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୫୪ ସେକେଣ୍ଡର ଏହି ଭିଡିଓରେ ଜଣେ କମ ବୟସର ଛାତ୍ର ନିଜର ୨ ସହ ଯୋଗୀଙ୍କୁ ବସାଇ ବଲାଙ୍ଗୀରର ଭାଗୀରଥୀ ଛକ ପାରିହେବା ସହ ଟ୍ରାଫିକ ନିୟମର ଉଲ୍ଲଙ୍ଘନ କରିଥିଲେ । ଏହାକୁ ଅଟକାଇଥିଲେ ଟ୍ରାଫିକ କର୍ମଚାରୀ । ସଂପୃକ୍ତ ଟ୍ରାଫିକ କର୍ମଚାରୀ ଏ ନେଇ ଛାତ୍ରର ବାପାକୁ କହିଦେବେ ବୋଲି କହିଥିଲେ । ଏହାସହ ୧୬ ବର୍ଷରେ ଗାଡି ଚଳାଉଛୁ ଓ ଡିଏଲ ଅଛି କି ବୋଲି ପ୍ରଶ୍ନ କରିଥିଲେ । ଏହାପରେ ଛାତ୍ର ଟ୍ରାଫିକ କର୍ମଚାରୀଙ୍କୁ ନେହୁରା ହୋଇଥିବା ଦେଖାଯାଉଥିଲା । କିନ୍ତୁ ସଂପୃକ୍ତ ଛାତ୍ର ଜିଦ୍ ଧରିଥିଲେ ଆଂଟି ଗାଡି ଚାବି ଦେଇଦିଅ. ବାପା ବହୁତ ମାରିବେ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ବେଶ ଚର୍ଚ୍ଚା ।