ଷୋଡ଼ଶ ବିଧାନସଭା ଅଧିବେଶନରେ ଅଭିଭାଷଣ ରଖିଲେ ରାଜ୍ୟପାଳ । କହିଲେ, ‘ଫୋନି’ର ସଫଳ ମୁକାବିଲା କରିଛନ୍ତି ମୋ ସରକାର ।

92

କନକ ବ୍ୟୁରୋ: ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ । ଅଭିଭାଷଣ ଆରମ୍ଭରୁ ଦିବଙ୍ଗତ ବିଜେଡି ନେତା ବେଦ ପ୍ରକାଶ ଅଗ୍ରୱାଲ ଏବଂ ପୁଲୱାମାରେ ସହିଦ୍ ହୋଇଥିବା ଅଜିତ୍ ସାହୁଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ । ଏହାପରେ ବିଗତ ୫ ବର୍ଷରେ ବିଜେଡି ସରକାରଙ୍କ ସଫଳତା ଏବଂ ଆଗାମୀ ୫ ବର୍ଷ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ପ୍ରସଂଶା ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟପାଳ ।

ରାଜ୍ୟପାଳ ଗେଣେଶୀ ଲାଲ୍ କହିଛନ୍ତି କି, ଗତ ନିର୍ବାଚନରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ନିମନ୍ତେ ଏକ ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ ହୋଇଛି । ଆଉ ଏଥିରେ ଓଡ଼ିଶାବାସୀ ନିର୍ଣ୍ଣାୟ ମତଦାନ ଦେଇଥିବାରୁ ସମସ୍ତ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟପାଳ । ଗତ ମେ’ ୩ ତାରିଖରେ ପ୍ରଳୟଙ୍କାରୀ ବାତ୍ୟା ‘ଫୋନି’ର ସମ୍ମୁଖୀନ ହୋଇଥିଲା । ବିଗତ ୪୩ ବର୍ଷ ମଧ୍ୟରେ ଓଡ଼ିଶା ପାଇଁ ପ୍ରଥମ ତଥା ଗତ ୧୫୦ ବର୍ଷ ଭିତରେ ଆସିଥିବା ୩ ବାତ୍ୟା ମଧ୍ୟରୁ ଅନ୍ୟତମ । ହେଲେ ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ମୋ ସରକାର ସମସ୍ତ ପ୍ରକାର ପ୍ରସ୍ତୁତ କରିଥିଲେ । ମାତ୍ର ୨୪ ଘଣ୍ଟା ମଧ୍ୟରେ ୧୪ ଲକ୍ଷ ଲୋଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରି ମୋ ସରାକର ଇତିହାସ ସୃଷ୍ଟି କଲେ ବୋଲି ପ୍ରସଂସା କରିଛନ୍ତି ରାଜ୍ୟପାଳ ।

୨୦୦୦ ମସିହାରେ ମୋ ସରକାର ଓଡ଼ିଶାର ସମ୍ପୂର୍ଣ୍ଣ ପରିବର୍ତ୍ତନକୁ ଏକ ଆହ୍ୱାନ ଭାବେ ଗ୍ରହଣ କରିଥିଲେ । ସେହି ଦିନଠାରୁ ମୋ ସରକାର ସାଢ଼େ ଚାରିକୋଟି ଓଡ଼ିଶାବସୀଙ୍କ ସମର୍ଥନ ପାଇ ଆସୁଛି । ରାଜ୍ୟବାସୀଙ୍କ ଆଶ ଓ ଆକାଂକ୍ଷା ପୂରଣ କରିବା ଦିଗରେ ଆମ ଧ୍ୟାନ କେନ୍ଦ୍ରୀଭୂତ କରି ରଖିବା ପାଇଁ ମୋ ସରକାରଙ୍କୁ ଅଧିକ ଉତ୍ସାହ ଓ ପ୍ରେରଣା ଯୋଗାଇଦେବ । ରାଜ୍ୟରେ ୫ମ ଥର ପାଇଁ ମୋ ସରକାର ଉପରେ ଆସ୍ଥା ସ୍ଥାପନ କରିଛନ୍ତି ଓଡ଼ିଶାବାସୀ । ତେଣୁ ତାଙ୍କ ଭରସା ଏଭଳି ବଜାୟ ରଖିବେ ବୋଲି ରାଜ୍ୟପାଳ କହିଛନ୍ତି ।

ସବୁଠାରୁ ବଡ଼ କଥା ହେଲା, ‘ମହିଳା ସଶକ୍ତିକରଣ ମୋ ସରକାରର ବିକାଶର ମୂଳ ମନ୍ତ୍ର’ ବୋଲି ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି । ମିଶନଶକ୍ତି ପାଇଁ ଏକ ପୃଥକ ବିଭାଗ, ଗ୍ରାମପଞ୍ଚାୟତ, ବ୍ଲକ ଠାରୁ ଜିଲ୍ଲା ଏବଂ ରାଜ୍ୟସ୍ତରୀୟ ମହାସଂଘ ଗଠନ ପାଇଁ ମିଶନ ଶକ୍ତି ଭବନର ନିର୍ମାଣ ପାଇଁ ପ୍ରସ୍ତାବ ରଖିଛନ୍ତି ମୋ ସରକାର ।

Comments are closed.