ରାଜଧାନୀ ପୋଲିସର ଲୁଟେରା ଲିଙ୍କ୍ ? ଟଙ୍କା ଲୁଟିନେଲା ଚୋର, କମ୍ପରମାଇଜ କଲା ପୋଲିସ । ଯୁବକ ଆଣିଲେ ସାଙ୍ଘାତିକ ଅଭିଯୋଗ

422

କନକ ବ୍ୟୁରୋ: ରାଜଧାନୀ ପୋଲିସର ଲୁଟେରା ଲିଙ୍କ୍ ? ଟଙ୍କା ଲୁଟିନେଲା ଚୋର, କମ୍ପରମାଇଜ କଲା ପୋଲିସ । ଷ୍ଟେସନ ପାଖରୁ ଟଙ୍କା ଲୁଟ ହେବା ପରେ ଲୁଟେରାକୁ ନଧରି ବରଂ ଅଧା ଟଙ୍କା ନେଇ କଥା ଚାପି ଦେବାକୁ କହିଲା ପୋଲିସ । ଏଭଳି ଅଭିଯୋଗ ଆଣିଛନ୍ତି ଲୁଟର ଶିକାର ହୋଇଥିବା ଦିଲ୍ଲୀ ଫେରନ୍ତା ଯୁବକ ସୁନୀଲ କୁମାର ଚକ୍ର ।

ତେବେ ଆନନ୍ଦପୁର ଗଡବାନ୍ଧଗଡା ଯିବା ପାଇଁ ସକାଳେ ସେ ଷ୍ଟେସନରେ ଓହ୍ଲାଇବା ପରେ ଏଟିଏମରୁ ୧୬ ହଜାର ଟଙ୍କା ଉଠାଇଥିଲେ । ଆଉ ନୟାପଲ୍ଲୀ ଯିବା ପାଇଁ ଅଟୋ ଚାଳକଙ୍କ ସହ କଥାବାର୍ତ୍ତା କରୁଥିଲେ । ଠିକ ଏହି ସମୟରେ ଜଣେ ଚୋର ତାଙ୍କ ହାତରୁ ଟଙ୍କା ନେଇ ଛୁ ମାରିଥିଲା । ସୁନୀଲ ମଧ୍ୟ ଚୋରକୁ ଧରିବାକୁ ପିଛା କରିଥିବା ବେଳେ ଅଧା ବାଟରେ ଜଣେ ପୋଲିସ କନଷ୍ଟେବଲ ତାଙ୍କୁ ଅଟକାଇଥିଲେ । ଆଉ ସେମାନଙ୍କ ସହ ପଙ୍ଗା ନନେବାକୁ କହିଥିଲେ । ତାପରେ ତାଙ୍କୁ ୧୦ ହଜାର ଟଙ୍କା ବଢାଇ ଦେଇ କମ୍ପରମାଇଜ କରିବାକୁ କହିଥିଲେ ପୋଲିସ ବାବୁ ।

ମାତ୍ର ଆଉ ୬ ହଜାର ଟଙ୍କା କୁଆଡେ ଗଲା ବୋଲି ପ୍ରଶ୍ନ କରି ପିସିଆରକୁ ଫୋନ କରିଥିଲେ ସୁନୀଲ । ହେଲେ ପିସିଆରରେ ଥିବା ଅଧିକାରୀ ତାଙ୍କୁ ଆଉ ୫ ହଜାର ଦେଇ କଥା ଆଗକୁ ନବଢାଇବାକୁ କହିଥିଲେ । ମାତ୍ର ଶେଷରେ ସେ ଜିଆରପି ଥାନାରେ ଅଭିଯୋଗ କରିଛନ୍ତି । ତେବେ କିଏ ସେ ପୋଲିସ ଯିଏ ଲୁଟେରାଙ୍କ ପାଇଁ ହାକିମାତି କରୁଥିଲେ ? କଣ ପାଇଁ ଚୋରକୁ ନଧରି କଥା ଚାପିବାକୁ କହୁଥିଲେ ପୋଲିସ ବାବୁ? ଲୁଟେରାଙ୍କ ସହ ପୋଲିସର ଅଛିକି ଭିତିରି ଲିଙ୍କ? ଏ ସମସ୍ତ ପ୍ରଶ୍ନ ଏବେ ପୋଲିସ ପୋଷାକ ଉପରେ ଆଙ୍ଗୁଠି ଉଠାଇଛି ।