ଆସିଲା ତିତଲି କ୍ଷୟକ୍ଷତି ରିପୋର୍ଟ! ୧୬ ଟି ଜିଲ୍ଲାର ୫୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ଭାଙ୍ଗିଛି ୨୦ ହଜାର ୧୧୩ ଘର

32

କନକ ବ୍ୟୁରୋ : ବାତ୍ୟା ତିତଲି ଓ ପରବର୍ତୀ ବନ୍ୟାରେ କ୍ଷୟକ୍ଷତି ନେଇ ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ରର ରିପୋର୍ଟ ଆସିଛି । ଯେଉଁଥିରେ କୁହାଯାଇଛି, ରାଜ୍ୟର ୧୬ଟି ଜିଲ୍ଲା ବାତ୍ୟା ତିତଲି ଦ୍ୱାରା ପ୍ରଭାବିତ ହୋଇଛି । ୧୬ଟି ଜିଲ୍ଲାର ୧୧୪ ବ୍ଳକରେ ୫୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ୨୦ ହଜାର ୧୧୩ଟି ଘର ଭାଂଗିଛି । ୭ ହଜାର ୪୦୨ ଗାଁ ପ୍ରଭାବିତ ହୋଇଛି । ବାତ୍ୟା ଓ ବନ୍ୟା ଦ୍ୱାରା ୨ ଲକ୍ଷ ୩୪ ହଜାର ୨୦୭ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି । କେବଳ ଗଜପତିରେ ଭୂସ୍ଖଳରେ ୧୮ ଜଣଙ୍କ ଜୀବନ ଯାଇଛି । ୩ ଲକ୍ଷ ୬୦ ହଜାର ୩୫୩ ଜଣଙ୍କୁ ଉଦ୍ଧାର ଏବଂ ସ୍ଥାନାନ୍ତର କରି ୧୬୧୪ ରିଲିଫ୍ କେନ୍ଦ୍ରରେ ରଖାଯାଇଥିଲା । ବର୍ତମାନ ମଧ୍ୟ ୪୧ଟି ରିଲିଫ୍ କେନ୍ଦ୍ରରେ ୮ ହଜାର ୮୮୯ ଜଣଙ୍କୁ ରଖାଯାଇଥିବା ରାଜ୍ୟ ଆପଦକାଳୀନ ପରିଚାଳନା କେନ୍ଦ୍ର ରିପୋର୍ଟ ଦେଇଛି ।

ଆଉ ଏସବୁ ଭିତରେ ତିତଲି କ୍ଷତିଗ୍ରସ୍ତ ପରିବାର ମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ଓ ଅନ୍ୟ ସଂପୃକ୍ତ ବିଭାଗୀୟ ସଚିବ ମାନଙ୍କ ସହ ତିତଲି ପରବର୍ତ୍ତୀ ପୁନଃନିର୍ମାଣ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀ ଆଜି ଗଜପତି ଜିଲ୍ଲା ପରିଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ସବୁ କ୍ଷତିଗ୍ରସ୍ତ ପରିବାରକୁ ନଗଦ ୧ ହଜାର ଟଙ୍କା, ୫୦କେଜି ଚାଉଳ ଓ ଅଢେଇ ଲିଟର କିରୋସିନ ତୁରନ୍ତ ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଖୁବ ଶୀଘ୍ର ଆଉ ଦୁଇ ହଜାର ଟଙ୍କା ସମସ୍ତ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ ।

ସୂଚନା ଅନୁଯାୟୀ, କ୍ଷତିଗ୍ରସ୍ତ ଅଞ୍ଚଳ ଗୁଡିକରେ ପରିସ୍ଥିତି ଖୁବ ଶୀଘ୍ର ସ୍ୱାଭାବିକ ହେଉଛି । ସମସ୍ତଙ୍କୁ ପଲିଥିନ୍ ଯୋଗାଇ ଦିଆଯାଉଛି । ପାରଳାଖେମୁଣ୍ଡି ଓ କାଶିନଗରରେ ଆଜି ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସରବରାହ ପୁନଃ ସ୍ଥାପିତ ହେବ । ଅନ୍ୟାନ ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଗୁଡିକରେ ଆସନ୍ତାକାଲି ସୁଦ୍ଧା ପୁନଃସଂଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବ୍ୟାପକ କ୍ଷତି ଯୋଗୁଁ ବାକି ସ୍ଥାନ ଗୁଡିକ ପାଇଁ ଦୁଇ ତିନି ଦିନ ସମୟ ଲାଗିବ ।

ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ଧାନ ଓ ଅଣ ଧାନ ଫସଲ ଏବଂ ସଡକ ଯୋଗାଯୋଗରେ ବ୍ୟାପକ କ୍ଷତି ହୋଇଛି । ପୂର୍ତ୍ତ ବିଭାଗ ରାସ୍ତା ଗୁଡିକର ଯୋଗାଯୋଗ ପୁନଃସ୍ଥାପିତ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ରାସ୍ତା ଗୁଡିକର ମରାମତି ପାଇଁ ତିନି ଦିନ ସମୟ ଲାଗିବ ଏବଂ ଏଥିପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦିଆଯିବ । ଏତତ୍ ବ୍ୟତୀତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉତ୍ତମ ସେବା ଯୋଗାଇ ଦିଆଯାଉଛି । ହସ୍ପିଟାଲ ଓ ମୋବାଇଲ ହେଲଥ ୟୁନିଟ୍ ଗୁଡିକ ଦ୍ୱାରା ମାଗଣାରେ ଚିକିତ୍ସା ଓ ଔଷଧ ବଣ୍ଟନ କରାଯାଉଛି ।