ରାମନବମୀରେ ଭଦ୍ରକ ପ୍ରଶାସନର ବଢିଲା ଚିନ୍ତା ! ସହରରେ ୧୪୪ ଧାରା ଜାରି, ଶୋଭାଯାତ୍ରା ଉପରେ କଟକଣା

40

କନକ ବ୍ୟୁରୋ: ଶ୍ରୀରାମ ନବମୀ ପୂର୍ବରୁ ଭଦ୍ରକ ସହରରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଆଜି ବରପଦାଠାରେ ଗୋପୂଜନ ଓ ଗାନ୍ଧିପଡିଆରେ ଭୂମିପୂଜା କାର୍ଯ୍ୟକ୍ରମ ରହିଛି । ସାଧୁସନ୍ଥଙ୍କ ଛାଉଣୀ ଉପରେ କଡା ନଜର ରଖିଛି ପୋଲିସ । ଚଳିତ ମାସ ୨୫ତାରିଖରେ ଶ୍ରୀରାମ ନବମୀ ପାଳନ ହେବାକୁ ଥିବାବେଳେ ସତର୍କତାମୂଳକ ଭାବେ ଏହି ପଦକ୍ଷେପ ନେଇଛି ପ୍ରଶାସନ ।

ଆଜି ସକାଳୁ ଭୂମି ପୂଜନ ଓ ଗୋ ପୂଜନ ସହ ଆରମ୍ଭ ହୋଇଯିବ ରାମନବମୀ ଉତ୍ସବ । ଏ ନେଇ ସହରରେ ୨୧ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବାବେଳେ ଫ୍ଲାଗମାର୍ଚ୍ଚ କରିଛି ପୋଲିସ । ଆଇନଶୃଙ୍ଖଳାକୁ ଆଖି ଆଗରେ ରଖି ଶନିବାର ସନ୍ଧ୍ୟା ୬ଟାରୁ ଅନିର୍ଦ୍ଧିଷ୍ଟ କାଳ ପାଇ ୧୪୪ ଧାରା ଜାରି କରାଯାଇଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ରାମନବମୀ ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି । ସେହିଭଳି ସୋସିଆଲ ମିଡିଆରେ ଧର୍ମିୟ ଭାବନା ପୋଷ୍ଟ ନକରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

ଗତବର୍ଷ ଏପ୍ରିଲ ମାସରେ ସୋସିଆଲ ମିଡିଆରେ ହିନ୍ଦୁ ଦେବାଦେବୀଙ୍କ ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ପୋଷ୍ଟକୁ ନେଇ ଉତେଜନା ଦେଖାଦେଇଥିଲା । ଏଥିପାଇଁ ସହରରେ ୪୫ ଦିନ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିଥିଲା ପ୍ରଶାସନ । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସହରରେ ରାମନବମୀ ଉତ୍ସବ ପାଳନ କରାଯାଉଥିବାବେଳେ ସାଂପ୍ରଦାୟିକ ସଦ୍ଭାବନା ବଜାୟ ରଖିବାକୁ ପୋଲିସ ଓ ପ୍ରଶାସନ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଇଛି ।