ନିଜ ବାହାଘର ବନ୍ଦ କରି, ବାଲ୍ୟ ବିବାହ ବିରୋଧରେ ଉଠାଇଲେ ସ୍ୱର ! ନାବାଳିକାଙ୍କୁ ମିଳିଲା ପ୍ରଶଂସା

46

କୋଲକତା:  ବାଲ୍ୟ ବିବାହ ଆମ ଦେଶର ଏକ ପ୍ରଚଳିତ ସାମାଜିକ ବ୍ୟାଧି ଅଟେ । ଆଜି ବି ଦେଶର ଅନେକ ଭାଗରେ ଏହା ପ୍ରଚଳିତ । ଏକ ଆକଳନରୁ ଏହା ଜଣାପଡେ ଯେ , ଭାରତର ୪୭ ପ୍ରତିଶତ ବାଳିକାଙ୍କୁ ୧୮ ବର୍ଷ ପୂର୍ବରୁ ବିବାହ କରିଦିଆଯାଏ । ଯାହାକି ଏକ ନିନ୍ଦନୀୟ ଅପରାଧ ଭାବେ ବିବେଚନା କରାଯାଏ । ଯେଉଁ ବୟସରେ ଝିଅଟି ବୁଝିନଥାଏ ନିଜକୁ , ନିଜର ଜୀବନକୁ , ସେ ବୟସରେ ତାକୁ ସଂସାର ଭିତରକୁ ଠେଲି ଦିଆଯାଏ । ଫଳରେ ଅନେକ ସମସ୍ୟା ଦେଖାଦିଏ ନାବାଳିକାର ଜୀବନରେ । କିନ୍ତୁ କେତେ ଜଣ ଝିଅ ନାବାଳିକା ଅଛନ୍ତି ଏହାକୁ ବିରୋଧ କରିବା ପାଇଁ ? ଆଉ ନିଜ ପରିବାର ବିରୁଦ୍ଧରେ ଯାଇ ସ୍ୱର ଉତ୍ତୋଳନ କରିବା ପାଇଁ ।

ହଁ , ଏମିତି ଜଣେ ଝିଅ ନିଜ ମନକୁ ଦୃଢ କରି ଆଗକୁ ପାଦ ବଢେଇଛନ୍ତି । ନିଜ ବାହାଘରକୁ ବନ୍ଦ କରିଦେଇଛନ୍ତି । ସୂଚନା ଅନୁସାରେ, କୋଲକତାର ଏହି ନାବାଳିକା କଣକ ଏହି ବାଲ୍ୟ ବିବାହକୁ ରୋକିବା ପାଇଁ ଉଠେଇଛନ୍ତି ପଦକ୍ଷେପ । ଭାବି ନେଇଛନ୍ତି ଡରିମରି ଜଳିବା ଅପେକ୍ଷା , ନିଜର ମତ ସାବ୍ୟସ୍ତ କରି ଏ ଯୁଦ୍ଧ ଲଢିବା ଭଲ ।

ବାପାମାଆ, ୧୪ ବର୍ଷ ବୟସରେ ତାଙ୍କର ବିବାହ କରାଉଥିଲେ । ଜାନୁୟାରୀ ୨୫ରେ ହୋଇଥାନ୍ତା ବାହାଘର । ସବୁ ଆୟୋଜନ ସରିଥିଲା । ସେ କିନ୍ତୁ ଥିଲେ ନିରୁପାୟ । ପାଠପଢି କିଛି ଭିନ୍ନ କରିବାକୁ ଚାହିଁଥିଲେ । ସ୍ୱପ୍ନ ଦେଖିଥିଲେ ଜଣେ ଆଇପିଏସ୍ ହେବାକୁ । ନିଜ ମନର କଥାକୁ ମନରେ ଚାପି ବସିବା ଅପେକ୍ଷା , ସେ କିଛି କରିବାକୁ ସ୍ଥିର କଲେ । ନିଜ ଭାଇ(୨୧)ର ସାହାଯ୍ୟରେ ପହଁଚିଲେ ପୁଲିସ୍ ଷ୍ଟେସନରେ । ଆଉ ଅନୁରୋଧ କଲେ ସେଠାରେ ଏହି ବାହାଘର ରୋକିବାକୁ । ଯାହା ତାର ଅନିଚ୍ଛାରେ ହେଉଛି । ପୁଲିସ୍ ତାଙ୍କର ପିତାମାତାଙ୍କୁ ଥାନାକୁ ଡାକି ବୁଝାଇଥିଲେ । ଆଉ ବାଲ୍ୟ ବିବାହ ଯେ ଏକ ଦଣ୍ଡନୀୟ ଅପରାଧ ଏହା ସଂପୃକ୍ତ କର୍ମଚାରୀଙ୍କୁ ଡକାଇ ସେମାନଙ୍କୁ ବୁଝାଇଥିଲେ ।

ନିଜ ସ୍କୁଲ୍ ଶିକ୍ଷକଙ୍କ ଠାରୁ ଏହି ନାବାଳିକା ଜଣକ ଶୁଣିଥିଲେ ବାଲ୍ୟ ବିବାହ ଏକ ଅପରାଧ । ଆଉ ନିଜର ବାହାଘରକୁ ଭାଂଗିବାକୁ ସାହସ ମନରେ ଜୁଟାଇଥିଲେ । ପରିବାରର ଆର୍ଥିକ ପରିସ୍ଥିତି ସେତେ ଭଲ ନୁହେଁ । ତାଙ୍କର ବାପା ଏକ କଂପାନୀରେ ଲେବରର କାମ କରନ୍ତି । ମା’ କରନ୍ତି ଟେଲରିଂ କାମ । ନିଜର ଦୃଢ ମନୋବଳ ଯୋଗୁଁ ଆଜି ଝିଅଟି ମୁକ୍ତ ଭାବେ ଜୀବନ ଜିଇଁବାର ବାଟ ପାଇଲା । ଆଉ ଏଥିପାଇଁ ତାଙ୍କୁ ମିଳିଛି ପ୍ରଶଂସା । ଅନ୍ୟ ଝିଅ ମାନଙ୍କ ପାଇଁ ମାଧ୍ୟ ପାଲଟିଛନ୍ତି ପ୍ରେରଣା ।

( ସୌଜନ୍ୟ- ଦ ବେଟର ଇଣ୍ଡିଆ)