ଚଳିତ ବର୍ଷ ରାଜ୍ୟରେ ୧୪% କମ୍‌ ବର୍ଷା !

32

କନକ ବ୍ୟୁରୋ : ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ପ୍ରାୟ ପ୍ରତିଦିନ କେଉଁଠି ନା କେଉଁଠି ବର୍ଷା ବି ହେଉଛି । ଏହା ସତ୍ତ୍ୱେ ଓଡ଼ିଶାରେ ୧୪ ପ୍ରତିଶତ କମ୍‌ ବର୍ଷା ହୋଇଛି । ନୂଆପଡ଼ା ଜିଲ୍ଲାରେ ୩୪ ପ୍ରତିଶତ କମ୍‌ ବର୍ଷା ହୋଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ୨୭ ପ୍ରତିଶତ ଅଧିକ ବୃଷ୍ଟିପାତ ରେକର୍ଡ କରାଯାଇଛି । ବୃଷ୍ଟିପାତର ଏଭଳି ତାରତମ୍ୟ ଦୃଷ୍ଟିରୁ ରାଜ୍ୟର ପ୍ରାୟ ୨୮୩୩୪ ହେକ୍ଟର ଧାନ ଏବଂ ଅଣଧାନ ଜମି ଚାଷ ଲେଡ଼ାପୋକ ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇଛି ।

କୃଷି ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ ଅଗଷ୍ଟ ମାସ ୧୯ ତାରିଖ ସୁଦ୍ଧା ରାଜ୍ୟରେ ୨୧୮.୨ ମି.ମି. ବୃଷ୍ଟିପାତ ହୋଇଥାଏ । କିନ୍ତୁ ପ୍ରକୃତ ପକ୍ଷେ ହୋଇଛି ୧୮୭.୪ ମି.ମି.। ଅର୍ଥାତ୍‌ ୧୪.୧ ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଛି । ତେବେ ରାଜ୍ୟରେ କୃଷି କାର୍ଯ୍ୟ ସ୍ୱାଭାବିକ ଭାବେ ଆଗେଇ ଚାଲିଛି । ଗତବର୍ଷ ଅଗଷ୍ଟ ୧୯ ତାରିଖ ସୁଦ୍ଧା ରାଜ୍ୟରେ ୩୧୫୧.୫୯୯ ହେକ୍ଟର ଜମିରେ ଧାନ ଚାଷ ହୋଇଥିବା ବେଳେ ଗତ ୧୯ ତାରିଖ ବେଳକୁ ୩୨୭୨.୨୬୧ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଧାନ ଚାଷ ଭଳି ଅଣଧାନ ଚାଷ ମଧ୍ୟ ଭଲ ହୋଇଥିବା କୃଷି ବିଭାଗ ରିପୋର୍ଟରେ ଦର୍ଶାଯାଇଛି ।

କିନ୍ତୁ ଫସଲରେ ଲେଡ଼ାପୋକ ସହିତ ଅନ୍ୟାନ୍ୟ ରୋଗ ବ୍ୟାପିବା ଚାଷୀମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଉଭୟ ଧାନ ଏବଂ ଅଣଧାନ ଫସଲରେ ୩୨୩୬୩ ହେକ୍ଟର ଜମିରେ ଏଭଳି ଅବସ୍ଥା ଦେଖାଦେଇଛି । ବିଶେଷ କରି ଧାନ ଫସଲରେ ଜୀବାଣୁ ଜନିତ ପତ୍ରପୋଡ଼ା, ମହିଷା, ହଳଦିଆ ପତ୍ରଡିଆଁ, ପତ୍ରଦାଗ, ମୂଳସଢ଼ା, କାଣ୍ଡବିନ୍ଧା, ଲେଡ଼ାପୋକ, ଗନ୍ଧିପୋକ, ଦହିଆ, ପତ୍ର ଆଚ୍ଛାଦ ସଢ଼ା, ଧଳା ପିଠିଆ ପତ୍ରଡିଆଁ ଆଦି ରୋଗ ହୋଇଥିବା ଜଣାଯାଇଛି । ଇ-ରୋଗପୋକ ସର୍ବେକ୍ଷଣ ଜରିଆରେ ୧୬୪୪୯ ହେକ୍ଟର ଜମିରେ ରୋଗର ନିଦାନ କରାଯାଇଥିବା କୃଷି ବିଭାଗ ଦାବି କରିଛି।

କିନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଭିନ୍ନ ତଥ୍ୟ ଦେଇଛି । ଏହାର ତଥ୍ୟ ଅନୁଯାୟୀ ଆଜି ସୁଦ୍ଧା ରାଜ୍ୟରେ ହାରାହାରି ୮୧୦ ମିଲିମିଟର ବର୍ଷା ହେବା କଥା । କିନ୍ତୁ ହୋଇଛି ୭୬୮ ମି.ମି.ର ବୃଷ୍ଟିପାତ । ବୃଷ୍ଟିପାତ ଅଭାବ ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି ନୂଆପଡ଼ା(୩୪%), ଢେଙ୍କାନାଳ(୩୨%), ବଲାଙ୍ଗୀର(୩୦%), କନ୍ଧମାଳ(୨୯%), ଅନୁଗୁଳ(୨୫%), ଭଦ୍ରକ(୨୩%), ଯାଜପୁର(୨୨%), ନୟାଗଡ଼(୨୦%)। ଅନ୍ୟପକ୍ଷରେ ମାଲକାନଗିରିରେ ହାରାହାରି ୧୨୩୨.୮ ମି.ମି. ବୃଷ୍ଟିପାତ ପରିମାଣଠାରୁ ଅଧିକ ୨୭ ପ୍ରତିଶତ ବର୍ଷା ହୋଇଛି । ସେହିପରି ଗଞ୍ଜାମରେ ୨୬%, ରାୟଗଡ଼ାରେ ୧୮%, ସୁନ୍ଦରଗଡ଼ରେ ୧୬% ଅଧିକ ବର୍ଷା ହୋଇଛି ।