କେଉଁମାନେ ରହିବେ କ୍ୱାରେଂଟିନ କେନ୍ଦ୍ରରେ? ସ୍ପଷ୍ଟ କଲେ ସରକାର, ବାହାରୁ ଆସୁଥିଲେ ୧୪ ନହେଲେ ୭ଦିନ ସଂଗରୋଧରେ ରହିବାକୁ ବାଧ୍ୟ, ୩ଦିନ ପାଇଁ ରାଜ୍ୟ ବାହାରକୁ କି ଭିତରକୁ ଆସୁଥିଲେ କ୍ୱାରେଣ୍ଟିନରେ ରହିବା ଦରକାର ନାହିଁ

3,681

କନକ ବ୍ୟୁରୋ: ରାଜ୍ୟରେ ୧୪ ଦିନିଆ ବାଧ୍ୟତାମୂଳକ କ୍ୱାରେଂଟାଇନ ବ୍ୟବସ୍ଥା ଲାଗୁ କଲେ ସରକାର । ଯାହାକୁ ଜିଲ୍ଲାପାଳମାନେ ଗ୍ରାମାଂଚଳରେ ସରପଂଚଙ୍କ ମାଧ୍ୟମରେ କରାଇବା ସହ ମ୍ୟୁନିସପାଲ କମିଶନରମାନେ ସହରାଂଚଳମାନଙ୍କରେ ଏହି ନିୟମକୁ କଡାକଡି ଭାବେ ଲାଗୁ କରିପାରିବେ । ତେବେ ଗ୍ରାମାଂଚଳକୁ ଆସୁଥିବା ପ୍ରବାସୀ ଓଡିଆମାନେ ଏହି ୧୪ ଦିନିଆ କ୍ୱାରେଂଟାଇନ ନିୟମ ଅନୁସାରେ ଅନ୍ତତଃ ୭ ଦିନ ସଂଗରୋଧ କେନ୍ଦ୍ରରେ ରହିବାକୁ ବାଧ୍ୟ । ତେବେ ସେ ଯେଉଁଥିରେ ବି ଆସିଥାଆନ୍ତୁ ନା କାହିଁକି । ସେହିଭଳି ୭ଦିନ ପରେ ଯଦି ସଂପୃକ୍ତ ବ୍ୟକ୍ତିଙ୍କଠାରେ କରୋନା ଲକ୍ଷଣ ଦେଖା ନ ଯାଏଁ ତେବେ ସେ ଆଉ ୭ ଦିନ ନିଜ ଘରେ ରହିପାରିବେ । ସେହିଭଳି ଯଦି ସ୍ଥାନୀୟ କର୍ତ୍ତୃପକ୍ଷ ଅନୁଭବ କରିବେ ଯେ ବ୍ୟକ୍ତି ଜଣଙ୍କ ଘରେ କ୍ୱାରେଂଟିନରେ ରହିବାକୁ ସଠିକ୍ ସୁବିଧା ନାହିଁ କିମ୍ବା ସଂକ୍ରମଣକୁ ରୋକିବାକୁ ସ୍ଥାନୀୟ ପ୍ରଶାସନ ଚାହିଁଲେ ଏହି ଅବଧିକୁ ବଢାଇପାରିବେ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର ।

ଯଦି ଏହି ୧୪ ଦିନ ଭିତରେ ସଂପୃକ୍ତ ବ୍ୟକ୍ତିଙ୍କଠାରେ କୋଭିଡ ଲକ୍ଷଣ ଦେଖା ଯାଏଁ ତେବେ ସେମାନଙ୍କୁ ସିଧାସଳଖ ଭାବେ ମେଡିକାଲକୁ ପଠା ଯାଇପାରିବ ନାହିଁ । ସେମାନେ ୧୦୪ ହେଲପଲାଇନ ନମ୍ବରକୁ କଲ କରିବେ ଆଉ ଡାକ୍ତରଙ୍କ ପରାମର୍ଶ କ୍ରମେ ହସ୍ପିଟାଲକୁ ଯିବେ ବୋଲି କହିଛନ୍ତି ଏସଆରସି । ସେହିଭଳି ସହରାଂଚଳକୁ ଆସୁଥିବା ପ୍ରବାସୀ ଓଡିଆ ବାଧ୍ୟତାମୂଳକ ଭାବେ ହୋମ କ୍ୱାରେଂଟିନରେ ରହିବେ । ଏହି ସମୟରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ହୋଇଥିବା ସମସ୍ତ କ୍ୱାରେଂଟାଇନ ସର୍ତ୍ତାବଳୀ ସେ ପାଳନ କରିବେ । ଯଦି ତାଙ୍କ ଘରେ ସଠିକ୍ ସୁବିଧା ନଥାଏ ବା କ୍ୱାରେଂଟାଇନ ଅବଧି ସମୟରେ ସେ ସର୍ତ୍ତବାଳୀକୁ ଉଲ୍ଲଂଘନ କରନ୍ତି ତେବେ ଏଭଳି ପରିସ୍ଥିତିରେ ସ୍ଥାନୀୟ କର୍ତ୍ତୃପକ୍ଷ ତାଙ୍କୁ ସରକାରଙ୍କ ଦ୍ୱାରା ପରିଚାଳିତ ସଂଗରୋଧ କେନ୍ଦ୍ରରେ ରହିବାକୁ ନିର୍ଦ୍ଦେଶ ଦେଇପାରନ୍ତି । କିମ୍ବା ବ୍ୟକ୍ତି ଚାହିଁଲେ ଚିହ୍ନଟ ହୋଟେଲରେ ପେଡ୍ କ୍ୱାରେଂଟାଇନରେ ରହିପାରିବେ । ତେବେ ପେଡ୍ କ୍ୱାରେଂଟାଇନର ସମସ୍ତ ଖର୍ଚ୍ଚ ସଂପୃକ୍ତ ବ୍ୟକ୍ତି ବହନ କରିବେ । କାରଣ ପେଡ୍ କ୍ୱାରେଂଟାଇନର ଖର୍ଚ୍ଚ ସରକାର ବହନ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏସଆରସି ପ୍ରଦୀପ ଜେନା ।

ଅନ୍ୟପକ୍ଷରେ କିଛି ସରକାରୀ କର୍ମଚାରୀ, ବ୍ୟବସାୟୀ, କିଛି କୁଶଳିବ୍ୟକ୍ତି କିମ୍ବା କର୍ମଜୀବୀ ତଥା ଅନ୍ୟ କୌଣସି ବ୍ୟକ୍ତି କୌଣସି କାମରେ ଓଡିଶାକୁ ଆସୁଛନ୍ତି ଏବଂ ସେମାନଙ୍କର ଓଡିଶାରେ ୩ ଦିନରୁ ଅଧିକ ଦିନ ରହିବାର ନାହିଁ । ତେବେ ଏଭଳି ବ୍ୟକ୍ତିଙ୍କୁ କ୍ୱାରେଂଟାଇନରେ ରହିବାର ଆବଶ୍ୟକତା ନାହିଁ । ସେହିଭଳି ଯଦି ଓଡିଶାର କୌଣସି ବ୍ୟକ୍ତି ବାହାର ରାଜ୍ୟକୁ ୩ ଦିନ ପାଇଁ ଯାଉଛନ୍ତି ତେବେ ସେ ମଧ୍ୟ କ୍ୱାରେଂଟାଇନରେ ରହିବାର କୌଣସି ଆବଶ୍ୟକତା ନାହି ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନ ।