୨୪ରେ ୧୪ଟି କାଉଣ୍ଟିଂ ଟେବୁଲରେ ସ୍ପଷ୍ଟ ହେବ ଗଣିତ : ବିଜେପୁରରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି, ସୂଚନା ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ

252

କନକ ବ୍ୟୁରୋ : ଆସନ୍ତା ୨୪ରେ ଜଣାପଡ଼ିବ କିଏ ଜତିଲା ବିଜେପୁର ବାଜି । ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିଛନ୍ତି ୨ଲକ୍ଷ ୩୨ ହଜାର ଭୋଟର୍ । ଏବେ ଇଭିଏମରେ ସିଲ୍ ହୋଇ ରହିଛି ଆଶା-ଆଶଙ୍କାର ଚୁଡ଼ାନ୍ତ ପରିଣାମ । ଆଉ ଯେତେବେଳେ ଇଭିଏମ୍ ଖୋଲିବ ଜଣାପଡ଼ିବ କାହାର ହେଲା ବିଜେପୁର ? ତେବେ ବିଜେପୁର ଉପନିର୍ବାଚନ ଭୋଟ୍ ଗଣତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ପ୍ରେସମିଟ୍ କରିଛନ୍ତି ।

ବିଜେପୁର ଇତିହାସରେ ପ୍ରଥମ ଥର ଲାଗି ରେକର୍ଡ ମତଦାନ ହୋଇଛି ବୋଲି କହିଛନ୍ତି ସିଇଓ । ଏଥର ୭୯ ଦଶମିକ ୧୭ ପ୍ରତିଶତ ଭୋଟର ମତାଧିକାର ସାବ୍ୟସ୍ତ କରିଛନ୍ତି । ସାଧାରଣ ନିର୍ବାଚନଠାରୁ ଏହି ମତଦାନ ଅଧିକ । ବିଜେପୁରରେ ୨୪ ତାରିଖ ସକାଳ ୮ଟାରୁ ଆରଏମସି ପଦ୍ମପୁରରେ ଗଣତି ଆରମ୍ଭ ହେବ । ଭୋଟ୍ ଗଣତି ପାଇଁ ୧୪ଟି କାଉଂଟି ଟେବୁଲ ରହିବ । ଏଥିପାଇଁ ୧୦୩ ଜଣ ନିୟୋଜିତ ହୋଇଛନ୍ତି ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ସେପଟେ ଭୋଟ ସରିବା ପରେ ବିଜେପୁରରେ କିଏ ଜିତିବ ସେ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଗୁରୁବାର ଏଠାରେ ଭୋଟଗଣତି ହେବ । ତା ପୂର୍ବରୁ ବିଜେପୁରରେ ଦଳର ଏକପାଖିଆ ବିଜୟ ହେବ ବୋଲି ଦାବି କରିଛି ବିଜେଡି । ଦଳର ନେତା ତଥା ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି, ନିର୍ବାଚନରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଆଗ୍ରହ ନଥିଲା । ଦଳ ଏଠାରେ ଏକଲକ୍ଷ ପଚିଶ ହଜାରରୁ ଚାଳିଶ ହଜାର ମଧ୍ୟରେ ଭୋଟ ପାଇବ ବୋଲି ଦାବି କରିଛନ୍ତି ସୁଶାନ୍ତ ।

ସେପଟେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଦାବି କରିଛନ୍ତି, ଏଥର କଂଗ୍ରେସ ଏଠାରେ ଭଲ କରିବ । ବିଜେଡି ଖର୍ଚ କରିଥିବା ଟଙ୍କା ଅନୁସାରେ ଭୋଟ ପାଇବ ନାହିଁ । କଂଗ୍ରେସର ଖର୍ଚ କମ ହୋଇଥିଲେ ବି ଦଳ ଭଲ କରିବ ।