ଉତ୍କଳ ଏକ୍ସପ୍ରେସ୍ ଦୁର୍ଘଟଣା ପାଇଁ ୧୩ ଜଣ ସସପେଣ୍ଡ୍ !

16

କନକ ବ୍ୟୁରୋ : ଉତ୍କଳ ଏକ୍ସପ୍ରେସ୍ ଦୁର୍ଘଟଣା ପାଇଁ ୧୩ ଜଣ ସସପେଣ୍ଡ । ଉତ୍ତରପ୍ରଦେଶ ମୁଜାଫରନଗର ଖତୌଲିରେ ହୋଇଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଦୁର୍ଘଟଣାରେ ରେଳବାଇ ନେଇଛି କାର୍ଯ୍ୟାନୁଷ୍ଠାନ । ୧୩ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛି ରେଳବାଇ । ଦୁର୍ଘଟଣା ଦିନ ଡ୍ୟୁଟିରେ ଥିବା ୧୩ ଜଣ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ରେଳ ଲାଇନରେ କାମ କରୁଥିବା କର୍ମଚାରୀ ଦୁର୍ଘଟଣା ସମୟରେ କାହାକୁ ନଜଣାଇ ଚା ପିଇବାକୁ ଚାଲି ଯାଇଥିଲେ । ସେମାନଙ୍କ ଅବହେଳାରୁ ଏତେ ବଡ ଦୁର୍ଘଟଣା ଘଟିଯାଇଥିଲା । ଯେଉଁଥିରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିଲେ । ମାମଲାରେ ୪ ଜଣ ଅଧିକାରୀଙ୍କ ବିରୋଧରେ ଏଫଆଇଆର୍ ଦାୟର ହୋଇଥିଲା । ୪ ଜଣଙ୍କୁ ନିଲମ୍ବନ କରାଯାଇଛି । ଏପରିକି ଅନେକ ଅଫିସରଙ୍କୁ ଛୁଟିରେ ପଠାଇଦିଆଯାଇଛି । ପ୍ରାଥମିକ ତଦନ୍ତରୁ ରେଳ କର୍ମଚାରୀଙ୍କ ଅବହେଳା ପାଇଁ ଟ୍ରେନ୍ ଦୁର୍ଘଟଣା ହୋଇଥିବା ସ୍ପଷ୍ଟ ହୋଇଛି ।

କାହିଁକି ହେଲା ଏତେବଡ ରେଳ ଦୁର୍ଘଟଣା? ରେଳବାଇ ଅବହେଳାରୁ ଘଟିଲା କି ଅଘଟଣ?

ଉତ୍ତରପ୍ରଦେଶ ମୁଜାଫରନଗର ଖତୌଲିରେ ଉକ୍ରଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବା ପରେ ଆରମ୍ଭ ହୋଇଛି ପୋଷ୍ଟମର୍ଟମ । ଆଉ ଦୁର୍ଘଟଣା ପଛରେ ରେଳ ବିଭାଗର ଅବହେଳା କଥା ସାମ୍ନାକୁ ଆସିଛି । ଯେଉଁ ଟ୍ରାକ ଦେଇ ଯାଉଥିଲା ଉକ୍ରଳ ଏକ୍ସପ୍ରେସ, ସେହି ଟ୍ରାକର ମରାମତି ଚାଲିଥିବାନେଇ କିଛି ତଥ୍ୟ, ପ୍ରମାଣ ମିଳିଛି ।

ପ୍ରମାଣ ନଂ-୧ :

ଦୁର୍ଘଟଣା ଘଟିଥିବା ସ୍ଥାନରେ ରେଳ ଧାରଣା ନିକଟରୁ ମିଳିଛି ହାତୁଡି, ରେଂଚି, ପେଚକସ ଆଦି ମରାମତି ଉପକରଣ । ରେଳ କର୍ମଚାରୀ ଏଗୁଡିକୁ ଛାଡିଯାଇଥିବା ଅନୁମାନ କରାଯାଉଛି ।

ପ୍ରମାଣ ନଂ-୨

ଦୁର୍ଘଟଣା ସମୟରେ ଭିଷଣ ଶବ୍ଦ ହୋଇଥିଲା । ଏଥିସହ ରେଳ ଧାରଣା ଉପରେ ଚକ ଖୁବ ଜୋରରେ ଘସି ହୋଇଥିବାର ଚିହ୍ନ ରହିଛି । ଅର୍ଥାତ ଟ୍ରାକରେ ମରାମତି ଚାଲିଥିବାରୁ ଏମର୍ଜେନ୍ସି ବ୍ରେକ ଲଗାଯାଇଛି ।

ପ୍ରମାଣ ନଂ-୩

ଦୁର୍ଘଟଣା ହୋଇଥିବା ସ୍ଥାନରେ ସିଙ୍ଗିଲ ଲାଇନ ଟ୍ରାକ ଥିବାବେଳେ ରେଳଧାରଣାର ଏକ ଅଂଶ କଟା ଯାଇଥିବା ଦେଖିବାକୁ ମିଳିଛି । ସେହିପରି ଦୁଇଟି ଟ୍ରାକକୁ ସଂଯୋଗ କରୁଥିବା ଫିସପ୍ଲେଟ ସେଠାରେ ପଡିରହିବା ମଧ୍ୟ ମରାମତି ଚାଲିଥିବା ସନ୍ଦେହକୁ ବଢାଉଛି ।

ପ୍ରମାଣ ନଂ-୪

ଦୁର୍ଘଟଣାସ୍ଥଳରୁ କିଛି ଦୂରରେ ନାଲି ପତାକା ପଡିଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହା ସାଧାରଣତଃ ମରାମତି କାମ ଚାଲିଥିବାବେଳେ ଲଗାଯାଇଥାଏ ।

ପ୍ରମାଣ ନଂ-୫

କିଛି ସ୍ଥାନୀୟ ବାସିନ୍ଦା ମଧ୍ୟ ଏହି ଟ୍ରାକରେ ମରାମତି କାମ ଚାଲୁଥିବା କଥା କହିଛନ୍ତି । ଏପରିକି ଦୁର୍ଘଟଣା ସମୟରେ ଘଟଣାସ୍ଥଳରେ ରେଳ କର୍ମଚାରୀ ମଧ୍ୟ ଉପସ୍ଥିତ ଥିବା ସେମାନେ ସୂଚନା ଦେଇଛନ୍ତି ।

ଏସବୁ ଦିଗ ଗୋଟିଏ ବିନ୍ଦୁ ଉପରେ କେନ୍ଦ୍ରୀତ ହେଉଛି । ପୁରୀରୁ ହରିଦ୍ୱାର ଅଭିମୁଖେ ବାହାରିଥିବା ଉକ୍ରଳ ଏକପ୍ରେସ ଉତରପ୍ରଦେଶ ମୁଜାଫରନଗର ଜିଲ୍ଲା ଖତୌଲି ଦେଇ ଅତିକ୍ରମ କରିବା ପୂର୍ବରୁ ଏଠାରେ ରେଳ ଧାରଣାର ମରାମତି ଚାଲିଥିଲା । ଆଉ ରେଳ କର୍ମଚାରୀଙ୍କ ଅବହେଳାରୁ ଏତେବଡ ଦୁର୍ଘଟଣା ଘଟିଥିବା ସନ୍ଦେହ ଘନୀଭୂତ ହେବାରେ ଲାଗିଛି । କାରଣ ଉତର ପ୍ରଦେଶ ଆଂଟି ଟେରରିଷ୍ଟ ସ୍କ୍ୱାର୍ଡ ମଧ୍ୟ ଏଭଳି ସମ୍ଭାବନା ଆଡକୁ ଇସାରା କରିଛି ।

ଟ୍ରାକରେ କୌଣସି ତ୍ରୁଟିଥିଲେ ଇଂଜିନିୟରିଂ ବିଭାଗ ଷ୍ଟେସନ ମାଷ୍ଟରଙ୍କୁ ତଥ୍ୟ ଦେବାକଥା । ହେଲେ ଖତୌଲି ଷ୍ଟେସନ ମାଷ୍ଟରଙ୍କୁ ସେମିତି କିଛି ତଥ୍ୟ ମିଳିନଥିବା ସେ କହିଛନ୍ତି । ଏପଟେ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଆଜି ସଂଧ୍ୟା ସୁଦ୍ଧା ଦୁର୍ଘଟଣାର କାରଣ ଓ ଏଥିପାଇଁ କେଉଁମାନେ ଦାୟୀ ତାର ତଦନ୍ତ କରି ରିପୋର୍ଟ ଦେବାପାଇଁ କହିଛନ୍ତି । ଯଦି ରେଳବାଇର ଅବହେଳାରୁ ଏଭଳି ଭୟାବହ ଦୁର୍ଘଟଣା ଘଟିଥାଏ ତାହେଲେ ସାଙ୍ଘାତିକ ।

ଉକ୍ରଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳରୁ ଯେଉଁ ଚିତ୍ର ସାମ୍ନା ଆସିଛି ତାହା କୌଣସି ଫିଲ୍ମର ଦୃଶ୍ୟଠାରୁ କମ୍ ନୁହେଁ । ଦୁର୍ଘଟଣାର ଭୟାବହତା ଏତେ ଅଧିକ ଥିଲା ଯେ, ଗୋଟିଏ ଘର କାନ୍ଥ ଭାଙ୍ଗି ପସିଯାଇଥିଲା ଟ୍ରେନର ବଗି ।
ଉକ୍ରଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନରେ ହିଁ ଜଗତ ସିଂଙ୍କ ଘର । ଆଉ ପ୍ରତିଦିନ ପରି ଶନିବାର ସଂଧ୍ୟାରେ ମଧ୍ୟ ସେ ଘର ବାରଣ୍ଡାରେ ବସି ଟ୍ରେନ୍ ଯିବାର ଦୃଶ୍ୟକୁ ଉପଭୋଗ କରୁଥିଲେ । ହେଲେ ଅଚାନକ ଖୁବ ଜୋରରେ ଶବ୍ଦ କରି ଟ୍ରେନର ଏକ ବଗି ଛିଟିକି ପଡିଥିଲା ତାଙ୍କ ଘର ଉପରକୁ । କୌଣସି ସିନେମାର ଦୃଶ୍ୟ ପରି ଟ୍ରେନର ବଗି ଖୁବ ଉପରକୁ ଉଠିଆସି ସିଧା ଜଗତ ସିଂଙ୍କ ଘର କାନ୍ଥ ଭାଙ୍ଗି ଧସେଇ ପଶିଯାଇଥିଲା । ଏଭଳି ଅବିଶ୍ୱସନୀୟ ଘଟଣାକୁ ବୁଝିବା ଆଗରୁ ଗୋଟିକ ପରେ ଗୋଟିଏ ବଗି ବିରାଟ ଶବ୍ଦ କରି ଟ୍ରାକରୁ ଖସିବା ଆରମ୍ଭ କରିଥିଲା । ଆଉ ଗୋଟିଏ ପରେ ଗୋଟିଏ ବଗି ଟ୍ରାକରୁ ବାହାରେ ଘୁଷୁଡିବା ସହ ୨୦ ଫୁଟରୁ ଅଧିକ ଉଚ୍ଚକୁ ଉଡିଥିଲା ଟ୍ରେନ ଲାଇନ କଡରେ ଥିବା ପଥର ଖଣ୍ଡ । ଏକ ପ୍ରକାର ଝଡ ପରି ପରିବେଶ ତିଆରି କରିଥିଲା ଉକ୍ରଳ ଏକ୍ସପ୍ରେସ ଦୁର୍ଘଟଣା । ସୌଭଗ୍ୟରୁ ବର୍ତିଯାଇଥିଲେ ଜଗତ ସିଂ ।

ସେ ସମୟର ଭୟାନକ ଚିତ୍ରକୁ ସାରା ଜୀବନ ସେ ଭୁଲି ପାରିବେନାହିଁ ବୋଲି କହିଛନ୍ତି । ଅଚାନକ ଏକ ଶାନ୍ତ ପରିବେଶ କୋଳାହଳମୟ ହୋଇଗଲା । ଭୟରେ ଚିକ୍ରାର କରିବାକୁ ଲାଗିଲେ ଟ୍ରେନର ଯାତ୍ରୀ । ଚାହୁଁଚାହୁଁ ଖବର ବ୍ୟାପିଗଲା ଆଉ ଦୁର୍ଘଟଣାସ୍ଥଳରେ ପହଂଚିବାକୁ ଲାଗିଲେ ସ୍ଥାନୀୟ ଲୋକ । ଦୁର୍ଘଟଣାର ପ୍ରାୟ ୧ ଘଂଟା ପରେ ରେଳବାଇ ଓ ସ୍ଥାନୀୟ ପ୍ରଶାସନ ପହଂଚିଥିଲେ । ତେବେ ସେହି ସମୟର ଚିତ୍ରକୁ କିଛି ଏଭଳି ଢଙ୍ଗରେ ବୟାନ କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ ।

ଖତୌଲିର ଯେଉଁ ସ୍ଥାନରେ ଟ୍ରେନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ସେଠାରେ କୌଣସି ଷ୍ଟେସନ ନଥିବାରୁ ଦୃତ ବେଗରେ ଗତି କରୁଥିଲା ଉକ୍ରଳ ଏକ୍ସପ୍ରେସ । ଯେଉଁଥିପାଇଁ ଦୁର୍ଘଟଣାର ମାତ୍ରା ଏତେ ଅଧିକ ହୋଇଥିବା କୁହାଯାଉଛି । ଗୋଟିଏ ବଗି ଉପରେ ଆଉ ଗୋଟିଏ ଗବି ଚଢିଯାଇଥିବା ଦେଖିବାକୁ ମିଳିଛି । କେବଳ ଜଗତ ସିଂଙ୍କ ଘର ନୁହେଁ ପାଖରେ ଥିବା ଏକ କଲେଜର କାନ୍ଥକୁ ମଧ୍ୟ ଧକ୍କା ଦେଇ ଧସେଇ ପଶିଛି ଟ୍ରେନର ବଗି । ଏଥିରୁ ଦୁର୍ଘଟଣାର ଭୟାବହତା ଅନୁମାନ କରିହେଉଛି ।