‘ତିତଲି’ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ। ବାତ୍ୟା ପାଇଁ ଆସନ୍ତା ୨ ଦିନ ଧରି ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ଘୋଷଣା କଲେ ରାଜ୍ୟ ସରକାର

425

କନକ ବ୍ୟୁରୋ: ଭୟଙ୍କର ରୂପ ନେଉଛି ତିତଲି । ଆସନ୍ତା ୩ ଘଂଟା ଭିତରେ ଜଣାପଡିବ ବାତ୍ୟା ତିତଲିର ରୂପରେଖ । ଆସନ୍ତା କାଲି ଏହା ସ୍ଥଳଭାଗ ଛୁଇଁବ । ଯାହା ଫଳରେ ଘଂଟା ପ୍ରତି ୧୪୦ରୁ ୧୬୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ତରଫରୁ ତତ୍ପରତା ଦେଖାଦେଇଛି । ଗତକାଲି ପ୍ରଥମେ ୫ଟି ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବା ନେଇ ଘୋଷଣା ହୋଇଥିଲା । ଆଜି ତିତଲିର ପ୍ରକୋପକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଆସନ୍ତା କାଲିଠାରୁ ଦୁଇ ଦିନ (୧୧ ଏବଂ ୧୨ ତାରିଖ ) ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ସେହିଭଳି ତିତଲିକୁ ପାଇଁ ଛାତ୍ର ସଂସଦ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଅକ୍ଟୋବର ୧୧ରେ ଛାତ୍ର ସଂସଦ ନିର୍ବାଚନ। ହାତରେ ଆଉ ମାତ୍ର ଗୋଟିଏ ଦିନ ଥିବାବେଳେ ଆଜି ‘ହ୍ବାଟ୍ ଆଇ ଷ୍ଟାଣ୍ଡ ଫର୍’ ବା ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଅନୁଷ୍ଠିତ ହେବାକୁ ଥିଲା । ଏଥିପାଇଁ ରାଜ୍ୟର ୪ଟି ବିଶ୍ବବିଦ୍ୟାଳୟ ଓ ୨୫୬ ଯୁକ୍ତ୩ କ୍ୟାମ୍ପସରେ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ବାତ୍ୟା ‘ତିତଲି’କୁ ନେଇ ଆଶଙ୍କା ବଢ଼ିଥିଲା । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଦୁଇ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ତେଣୁ ସମ୍ପୃକ୍ତ କଲେଜରେ ନିର୍ବାଚନକୁ ସ୍ଥଗିତ ରଖାଯାଇଛି ।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୁଚନା ଦେଇ କହିଛନ୍ତି, ତିତଲି ପ୍ରଭାବିତ ହେବାକୁଥିବା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଭଳି ୫ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏହି ସବୁ ଜିଲ୍ଲାର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

 

ଏହାସହ ବିଗତ ଦିନରେ ଫାଇଲିନ୍ ପାଇଁ ଯେଉଁ ସବୁ ବ୍ୟବସ୍ଥା କରାଯାଇଥିଲା ସେହିଭଳି ପଦକ୍ଷେପ ନେବାକୁ ନିର୍ଦ୍ଦେଶ । ବିଶେଷ କରି ଜିରୋ କାଜ୍ୟୁଆଲଟୀ ବା ଶୂନ୍ୟ ଦୁର୍ଘଟଣା ନିରାକରଣ ନେଇ ସମସ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଅନ୍ୟପଟେ ଯଦି ବାତ୍ୟାରେ କିଛି ବିଶେଷ କ୍ଷୟକ୍ଷତି ହୁଏ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାସହ ତୁରନ୍ତ ଉଦ୍ଧାର କାର୍ଯ୍ୟ ଏବଂ ଅନ୍ୟନ୍ୟ ମୌଳିକ ସୁବିଧା ଯୋଗାଇଦେବାକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।