ଶିକ୍ଷାନୁଷ୍ଠାନ ଉତ୍ସବରେ ରାଜନୀତିର ବାସ୍ନା: ଏମ୍ସ ସମାବର୍ତ୍ତନରେ ଉଠିଲା କେନ୍ଦ୍ରୀୟ ଯୋଜନାର କଥା,ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇଂରାଜୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଓଡିଆ ସମ୍ବୋଧନକୁ ନେଇ ଚର୍ଚ୍ଚା

31

କନକ ବ୍ୟୁରୋ: ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବ ସୃଷ୍ଟିକଲା ରାଜନୈତିକ ସଭାର ଭ୍ରମ । ଭୁବନେଶ୍ୱର ଏମ୍ସର ସମାବର୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଯେଉଁ ଅଭିଭାଷଣ ରଖିଛନ୍ତି, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଓଡିଆରେ ଭାଷଣ ଦେଇ ଭାଷା ଭିତିରେ ବିଜେଡି ସରକାରଙ୍କୁ ଟାର୍ଗେଟ କରିଥିବା ଆଲୋଚନା ହେଉଛି । ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଇଂରାଜୀରେ ସମ୍ବୋଧନ କରିଥିବାବେଳେ ଓଡିଆରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ କେନ୍ଦ୍ର ସରକାର ଦେଇଥିବା ଅନୁଦାନର ହିସାବ ରଖି ରାଜନୈତିକ ଗୋଟି ଚାଳନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ମେଡିକାଲ ପାଠ୍ୟକ୍ରମ ଯୋଗାଇ ଦେଉଥିବା ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭୁବନେଶ୍ୱର ଏମ୍ସର ପ୍ରଥମ ସମାବର୍ତନ ଉତ୍ସବ । ଯୋଗଦେଲେ ଉପ ରାଷ୍ଟ୍ରପତି ଭେଙ୍କିୟା ନାଇଡୁ । ଦିଲ୍ଲୀ ଏମ୍ସ ପରେ ଦେଶର ସବୁଠାରୁ ବଡ ମେଡିକାଲ କଲେଜ ଓ ହସ୍ପିଟାଲ କୁହାଯାଉଥିବା ଭୁବନେଶ୍ୱର ଏମ୍ସର ସମାବର୍ତନ ସମାରୋହରେ ଲାଗିଲା ରାଜନୀତିର ରଙ୍ଗ । ଓଡିଶା ଆସି ଓଡିଆରେ ଅଭିଭାଷଣ ଆରମ୍ଭ କଲେ ଉପରାଷ୍ଟ୍ରପତି । କହିଲେ ଓଡିଶା ତାଙ୍କୁ ଭଲଲାଗେ ଓ ଏହା ଜଗନ୍ନାଥଙ୍କ ଦେଶ ।

ପ୍ରଥମ ସମାବର୍ତନ ଉତ୍ସବରେ ୧୦୬ ଜଣଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ସ୍ୱଛତାର ପାଠ ପଢାଇଥିଲେ ଉପରାଷ୍ଟ୍ରପତି । ନିଜ ଅଭାଭାଷଣରେ କେନ୍ଦ୍ରୀୟ ଯୋଜନାଗୁଡିକୁ ସ୍ଥାନିତ କରି ଏକ ରାଜନୈତିକ ଅଭିଭାଷଣ ରଖିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱଚ୍ଛତା ଅଭିଯାନ, ଜନଧନ ଯୋଜନା ଓ ୨୦୧୬ରେ ବିମୁଦ୍ରାୟନ କଥା ଉଠାଇଥିଲେ ଭେଙ୍କିୟା ନାଇଡୁ ।

ଭୁବନେଶ୍ୱର ଏମ୍ସରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅଧିକାଂଶ ଛାତ୍ରଛାତ୍ରୀ ମେଡିକାଲ ପଢୁଥିବାରୁ ମଂଚ ଉପରୁ ଇଂରାଜୀରେ ସମ୍ବୋଧିର କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ହେଲେ ଓଡିଆରେ ନିଜ ଅଭିଭାଷଣ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଷାକୁ ନେଇ ରାଜନୈତିକ ଗୋଟିଚାଳନା କରିଥିବା ଚର୍ଚ୍ଚା ହେଉଛି । ଏପରିକି ମୋଦି ସରକାରଙ୍କ ସମୟରେ ରାଜ୍ୟକୁ ମିଳିଥିବା କେନ୍ଦ୍ରୀୟ ଅନୁଦାନର କଥା ଉଠାଇବାକୁ ଭୁଲି ନଥିଲେ ଧର୍ମେନ୍ଦ୍ର ।

ଏମ୍ସ ଭଳି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ସମାବର୍ତନ ଉତ୍ସବରେ କେନ୍ଦ୍ରୀୟ ନେତାଙ୍କ ଅଭିଭାଷଣ ଏକ ରାଜନୈତିକ ସଭାର ଭ୍ରମ ସୃଷ୍ଟି କରିଥିଲା । ଆଉ ସବୁଠାରୁ ଅଧିକ ଚର୍ଚ୍ଚା ସାଉଁଟିଥିଲା ଉପରାଷ୍ଟ୍ରପତିଙ୍କ ଅଭିଭାଷଣ । କାରଣ ସାମ୍ବିଧାନିକ ପଦ ପଦବୀରେ ଥିବା ବ୍ୟକ୍ତି ନିଜକୁ ରାଜନୀତିଠାରୁ ଉଦ୍ଧ୍ୱର୍ରେ ରଖିବା କଥା । ଆଉ ଏହାରି ଭିତରେ ଏମ୍ସ ସମାବର୍ତନ ଉତ୍ସବରେ ଓଡିଶାରୁ ଅନ୍ୟତମ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଅନୁପସ୍ଥିତିକୁ ନେଇ ଉଠିଛି ପ୍ରଶ୍ନ ।