ଉପକୂଳିଆ ନେତାଙ୍କ ଉପରେ ରହିଛି ନବୀନଙ୍କ ଭରସା । ଅଧିକାଂଶ ପୁରୁଣା ମୁହଁଙ୍କୁ ପୁଣି ସୁଯୋଗ ଦେଲେ ବିଜେଡି ସୁପ୍ରିମୋ । ଜାଣନ୍ତୁ କାହାକୁ ମିଳିଲା ଟିକେଟ ?

482

କନକ ବ୍ୟୁରୋ : ଦକ୍ଷିଣ ଓ ପଶ୍ଚିମ ପରେ ଏବେ ଉପକୂଳ ଓ ଉତ୍ତର ଓଡିଶା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ୩୬ ବିଧାନସଭା ଓ ୯ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ । ଯେଉଁଥିରେ ଅନେକ ହେଭିୱେଟ ନେତାଙ୍କ ନାଁ ରହିଛି । ୯ ଲୋକସଭା ଆସନରୁ ବିଜେଡି ୭ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଥିବା ବେଳେ କେବଳ ବାଲେଶ୍ୱର ଓ ପୁରୀରେ ପୁରୁଣା ମୁହଁଙ୍କୁ ସୁଯୋଗ ଦେଇଛି ଦଳ । ଏହାଛଡା ୩୬ ଲୋକସଭା ଆସନ ମଧ୍ୟରୁ ୧୨ ଜଣ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିଥିବା ବେଳେ ବାକି ଆସନ ଗୁଡିକରେ ପୁରୁଣା ସିପାହୀଙ୍କୁ ମୈଦାନକୁ ଛାଡିଛି ।


ବିଜେଡିର ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ବହୁତ କମ ପ୍ରାର୍ଥୀ ବଦଳିଥିବା ବେଳେ ଅଧିକାଂଶ ସ୍ଥାନରେ ପୁରୁଣା ମୁହଁଙ୍କୁ ପୁଣିଥରେ ସୁଯୋଗ ଦେଇଛନ୍ତି ଦଳପତି । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ୮ ଜଣ ବିଧାୟକଙ୍କ ଟିକେଟ କଟିଥିବା ବେଳେ ସେମାନଙ୍କ ସ୍ଥାନରେ ଅନ୍ୟ ଯୋଦ୍ଧାଙ୍କୁ ରଣଭୂମିରେ ଓହ୍ଲାଇଛି ଦଳ । ଅର୍ଥାତ ୨୦୧୯ ନିର୍ବାଚନ ମହାଲଢେଇ ପାଇଁ ନିଜର ପୁରୁଣା ସିପାହୀଙ୍କ ଉପରେ ଭରସା କରିଛି ଦଳ ।

ପୂର୍ବରୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଯେତେବେଳେ ନବୀନ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ସେତେବେଳେ ମୋଟ ୬୩ ଜଣଙ୍କ ପ୍ରାର୍ଥୀଙ୍କ ମଧ୍ୟରୁ ୩୬ ନୂଆ ମୁହଁଙ୍କୁ ସୁଯୋଗ ଦେଇଥିଲେ ଦଳପତି । ଅଧାରୁ ଅଧିକ ପ୍ରାର୍ଥୀଙ୍କୁ ବଦଳାଇ ନବୀନ ଏକ ଭିନ୍ନ ସଂକେତ ଦେଇଥିଲେ । ତେବେ ପଶ୍ଚିମରୁ ଆସିଥିବା ଏହି ହାୱା ଉପକୂଳରେ ସମ୍ପୂର୍ଣ୍ଣ ବଦଳି ଯାଇଛି । ମାତ୍ର ୧୨ଟି ସ୍ଥାନରେ ନବୀନ ପ୍ରାର୍ଥୀ ପରିବର୍ତ୍ତନ କରିଥିବା ବେଳେ ଏଥିମଧ୍ୟରୁ ୩ଟି ସ୍ଥାନରୁ ପରିବାରବର୍ଗ ସଦସ୍ୟଙ୍କୁ ଟିକେଟ ଦେଇଛି ଦଳ । ସିଧାସଳଖ ଭାବେ କହିବାକୁ ଗଲେ ରାଜ୍ୟ ରାଜନୀତିରେ ଉପକୂଳ ଓଡିଶାର ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରି ରିସ୍କ ନେବାକୁ ଚାହୁଁନାହିଁ ଦଳ ।