ସାତ ଦରିଆ ସେପାରିରେ ବନ୍ଧା ପଡ଼ିଛନ୍ତି ୧୨ ଓଡିଆ ଶ୍ରମିକ : ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହେଲେ ପରିବାର ଲୋକ

25

କନକ ବ୍ୟୁରୋ : ପରିବାରର ଗୁଜୁରାଣ ମେଂଟାଇବା ପାଇଁ ଦାଦନ ଖଟିବାକୁ ଯାଇ ସାତ ଦରିଆ ସେପାରିରେ ବନ୍ଧା ପଡ଼ିଛନ୍ତି ଓଡ଼ିଆ ଯୁବକ । ଘରକୁ ଫେରିବା କଥା ପଡ଼ିଲେ ମିଳୁଛି ମାନସିକ ଓ ଶାରୀରିକ ନତର୍ଯ୍ୟାତନା । ତିନିମାସ ହେବ ସାଉଦି ଆରବର ଏକ ଠିକା କମ୍ପାନିରେ ଗୋତି ଶ୍ରମିକ ଭାବେ ଖଟୁଛନ୍ତି ଗଞ୍ଜାମ ଜିଲ୍ଳାର ଖଲ୍ଲିକୋଟ, ବେଗୁନିଆପଡ଼ା, ଗଞ୍ଜାମ, ସୋରଡ଼ା ଓ ରଙ୍ଗେଇଲୁଣ୍ଡା ଅଞ୍ଚଳର ୧୨ ଜଣ ଶ୍ରମିକ ।

ଅଭାବ ଅନଟନ ଯୋଗୁଁ ଦଲାଲ କବଳରେ ପଡ଼ି ଅଧିକ ଅର୍ଥ ଉପାର୍ଜନ ଆଶାରେ ବିଦେଶକୁ ଦାଦନ ଖଟିବାକୁ ଯାଇଥିଲେ ଏମାନଙ୍କ ଘର ପୁଅ । ମାସେ ହେବ ପାଖରେ ଟଙ୍କାଟିଏ ନଥିବା ବେଳେ ଶ୍ରମିକମାନେ ଭୋକ ଉପାସରେ ଥିବା ପରିବାର  ଲୋକ କହିଛନ୍ତି ।

ସେପଟେ ଫସି ରହିଥିବା ଯୁବକଙ୍କୁ ଫେରାଇ ଆଣିବା ପାଇଁ  ପରିବାର ଲୋକ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି । ଫସି ରହିଥିବା ଯୁବକ କିଭଳି ଫେରିବେ ସେନେଇ  ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି ।ତାଙ୍କୁ ସୁରକ୍ଷିତରେ ଫେରାଇ ଆଣିବାକୁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ । କେବଳ ଓଡିଶାର ନୁହେଁ ପଡୋଶୀ ରାଜ୍ୟର ବହୁ ଶ୍ରମିକ ସାଉଦି ଆରବରେ ଫସି ରହିଥିବା ଜଣାପଡିଛି ।