ବାଲେଶ୍ୱର ଖଇରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲିସ ଭ୍ୟାନ୍ ସହ ବୋଲେରୋ ମୁହାଁମୁହିଁ ଧକ୍କା, ୫ ଜଣ ପୋଲିସ କର୍ମଚାରୀଙ୍କ ସମେତ ୧୨ ଗୁରୁତର ଆହତ ।

425

କନକ ବ୍ୟୁରୋ : ବାଲେଶ୍ୱରରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୨ ଆହତ । ସ୍ଥାନୀୟ ଖଇରା ଥାନା ଗଣ୍ଡିବେଡ ଦାନନ୍ତିଆ ଛକଠାରେ ପୋଲିସ ଭ୍ୟାନ ସହ ବୋଲେରୋ ମୁହାଁମୁହିଁ ଧକ୍କା । ଫଳରେ ୫ ପୋଲିସ କର୍ମଚାରୀଙ୍କ ସମେତ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ଖଇରା ପୋଲିସ ଗଣ୍ଡିଗଡଟାରେ ଥିବା ଜଗନ୍ନାଥ ମନ୍ଦିରର ବାହୁଡାଯାତ୍ରା ଡ୍ୟୁଟି ସାରି ଫେରିବା ବେଳେ ଦାନ୍ତିଆ ଛକଠାରେ ବିପରୀତ ଦିଗରୁ ବାହାଘର ଭୋଜି ଖାଇ ଆସୁଥିବା ଏକ ବୋଲେରୋ ସହ ଧକ୍କା ହୋଇଥିଲା ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁଇ ଗାଡିର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଏହି ଦୁର୍ଘଟଣାରେ ଏଏସଆଇ ଶ୍ୟାମସୁନ୍ଦର ବିନ୍ଧାଣୀ ଅତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ବୋଲେରୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଂଚିବା ପରେ ସମସ୍ତ ଆହତଙ୍କୁ ଖଇରା ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ତେବେ ଏଏସଆଇ ବିନ୍ଧାଣୀଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।