ଅଷ୍ଟମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା : ପ୍ରତିବାଦରେ ଆଜି ୧୨ ଘଂଟିଆ କନ୍ଧମାଳ ବନ୍ଦ

96

କନକ ବ୍ୟୁରୋ : କୁମାରୀ ମାତୃତ୍ୱ ଘଟଣାକୁ ନେଇ ଆଜି ୧୨ ଘଂଟିଆ କନ୍ଧମାଳ ବନ୍ଦ ।  କନ୍ଧମାଳ ସୁରକ୍ଷା ଅଭିଯାନ ଓ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଆଜି ସକାଳୁ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଦୋକାନ ବଜାର ବନ୍ଦ ଥିବା ବେଳେ ଗାଡି ଚଳାଚଳ ବନ୍ଦ ରହିଛି ।  ଗତ ୧୩ ତାରିଖରେ ଦାରିଙ୍ଗବାଡି ସରକାରୀ ଉଚ୍ଚ ବିଦ୍ୟାଳୟର ହଷ୍ଟେଲରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ଏହା ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଶ୍ରବଣ କୁମାର ପ୍ରଧାନକୁ ପୁଲିସ ଗିରଫ କରିଛି । ସେହିପରି ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩ ଜଣ ଆସିଷ୍ଟାଂଟ ଲେଡି ସୁପରିଟେଂଡଙ୍କୁ ନିଲମ୍ବନ ଓ ସ୍କୁଲର ୬ଜଣ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିଲେ  ।

ସୂଚନାଯୋଗ୍ୟ ଜଣେ ଅଷ୍ଟମ ଶ୍ରେଣୀର ନାବାଳିକା ଛାତ୍ରୀ ଶିଶୁଜନ୍ମ ଦେବା ଭଳି  ଏକ ସମ୍ବେଦନଶୀଳ ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଯଦିଓ ପ୍ରଶାସନ ଏହି ଘଟଣାରେ ୧୦ରୁ ଅଧିକ ଲୋକଙ୍କ ବିରୋଧରେ ଅବହେଳା ପାଇଁ କାର‌୍ୟ୍ୟାନୁଷ୍ଠାନ ନେଇଛନ୍ତି ଓ ଘଟରାର ମୁଖ୍ୟ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛନ୍ତି, ତଥାପି ଏପରି ଏକ ଘଟଣାର ପ୍ରତିବାଦରେ କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏହି ବନ୍ଦ ଡାକରାକୁ ବିଜେପି ପକ୍ଷରୁ ବନ୍ଦକୁ ସମର୍ଥନ ଘୋଷଣା କରାଯାଇଛି।