ସାରା ରାଜ୍ୟକୁ ଦୋହଲାଇ ଦେଲା ବାରଘରର କାହାଣୀ । ଆଶ୍ରୟ ନେଇଥିବା ପାହାଡ଼ ହିଁ ନେଇଗଲା ୧୨ଜଣଙ୍କ ଜୀବନ । ଏବେବି ମିଳୁନି ୪ ଜଣଙ୍କ ଖୋଜଖବର

38

କନକ ବ୍ୟୁରୋ: ବର୍ଷା, ପବନ ଦାଉରୁ ରକ୍ଷା ପାଇଁ ପାହାଡ଼ କୋଳକୁ ଆଶ୍ରୟ ଭାବରେ ବାଛି ନେଇଥିଲେ ୫ଟି ପରିବାର । ହେଲେ ଏମାନେ ଜାଣିନଥିଲେ, ସେଇ ପାହାଡ଼ ଗୁମ୍ପା ହିଁ ପାଲଟିଯିବ ତାଙ୍କ ଜୀବନର ଶେଷ ଠିକଣା । ପାହାଡ଼ ଧସି ଯିବାରୁ ଗୁମ୍ପା ଭିତରେ ହିଁ ଚାପି ହୋଇଗଲା ଜୀବନ । ଗଜପତି ଜିଲ୍ଲା ବାରଘରରେ ଚାଲିଗଲା ୧୨ ଜଣଙ୍କ ଜୀବନ । ଏବେ ବି ୪ ଜଣଙ୍କ ଖୋଜଖବର ମିଳୁନି । ବିଡମ୍ବନାର ବିଷୟ, ଘଟଣା ଘଟିବାର ୨୪ ଘଂଟା ପରେ ପହଚିଂଥିଲେ ପ୍ରଶାସନିକ ଅଧିକାରୀ । ଆଉ ସେତେବେଳେ ଯେଉଁ ଚିତ୍ର ସାମ୍ନାକୁ ଆସିଥିଲା ସାରା ଓଡ଼ିଶାକୁ ସ୍ତବ୍ଧ କରିଦେଲା ।

ଦେଖନ୍ତୁ ଏହି ଛାତିଫଟା ଚିତ୍ରକୁ । ନିଜ ଆତ୍ମୀୟ ସ୍ୱଜନଙ୍କ ମୃତ ଦେହ ନିକଟରେ କାନ୍ଦି କାନ୍ଦି ଲୋଟି ପଡୁଛନ୍ତି ପରିବାର ଲୋକ । ଏହା ହେଉଛି ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଂଚାୟତର ୧୨ ଘର ଗାଁର ଚିତ୍ର, ତିତଲିର ପ୍ରଳୟଙ୍କରୀ ବର୍ଷା ଛଡ଼ାଇ ନେଇଛି ଏହି ପରିବାରର ସବୁକିଛି । ଏ ଏପରି ଏକ ଦୁଃଖ କାହାଣୀ, ଯାହାକୁ ବର୍ଣ୍ଣନା କରିବାକୁ ଶବ୍ଦ ଖୋଜି ପାଇବା ମଧ୍ୟ କଷ୍ଟକର ।

 

ବର୍ଷା ବିତ୍ପତିରୁ ରକ୍ଷା ପାଇବା ପାଇଁ ମେହେନ୍ଦ୍ରଗିରି ପାହାଡ଼ ପାଦ ଦେଶରେ ରହୁଥିବା ୫ ପରିବାରର ପ୍ରାୟ ୧୬ ଜଣ ଲୋକ ପାହାଡ଼ ଉପରେ ଥିବା ଏକ ଗୁମ୍ଫାରେ ଆଶ୍ରୟ ନେଇଥିଲେ । ହେଲେ ହଠାତ୍ ପାହାଡ଼ ଧସିବା ଆରମ୍ଭ କରିଥିଲା । ଚାହୁଁ ଚାହୁଁ ଲୋକଙ୍କ ଉପରେ ଓଜାଡି ହୋଇଗଲା ପାହାଡ଼ । ୧୨ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଥିଲେ ବି ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି । କାରଣ ୪ ଜଣଙ୍କ ପତା ମିଳୁନାହିଁ । ଏପଟେ ବର୍ଷା ପାଣିର ସୁଅ ଏତେ ପ୍ରଖର ଥିଲା ଯେ ବିଛାଡି ହୋଇ ପଡିଛି ମୃତଦେହ । ମୃତ ଦେହକୁ ଦେଖିବା ପରେ ଧୈର୍ଯ୍ୟ ହରା ହୋଇ ପଡିଥିଲେ ପରିବାର ଲୋକ ।  ଏହି ପାହାଡ଼ ଜଙ୍ଗଲ ଘେରା ଦୁର୍ଗମ ଅଂଚଳ ୧୨ ଘରର କାହାଣୀ ମଧ୍ୟ ବିଚିତ୍ର । ସ୍ଥାନୀୟ ଲୋକ କହୁଛନ୍ତି ୧୨ଟି ଘରରୁ ଅଧିକ ପରିବାର ଲୋକଙ୍କ ଜୀବନ ଯାଉଛି ପ୍ରାକୃତିକ ବିପର୍ଯ୍ୟୟରେ । ବିଶ୍ୱାସ ଓ ଅନ୍ଧବିଶ୍ୱାସ ଭିତରେ ଜୀବନ କାଟୁଥିବା ଆଦିବାସୀ ଲୋକଙ୍କ ପାଇଁ ଆସିଛି ପୁଣି ଏକ ବିପତି ।

ସେପଟେ ୧୨ ଘରକୁ ନେଇ ସରଗରମ ହୋଇଛି ରାଜନୀତି । ବିରୋଧୀ ଅଭିଯୋଗ କରିଛନ୍ତି, ସରକାରଙ୍କ ବିଫଳତା ଯୋଗୁଁ ଘଟିଛି ଏତେ ବଡ଼ ବିପର୍ଯ୍ୟୟ । ପ୍ରଶାସନର ଛାଇ ପଡ଼ିନଥିବା ଏହି ଇଲାକାର ଦୁଃଖ କହିଲେ ନସରେ । ମୁଣ୍ଡ ଗୁଜିବାକୁ ଛାତ ନାହିଁ, ଯେଉଁ ପାହାଡ଼କୁ ଭରସା କରି ଜିଇଁଥିଲେ, ଶେଷରେ ସେହି ପାହାଡ଼ ନେଇଯାଇଛି ସେମାନଙ୍କ ଜୀବନ ।