୧୨ ଦିନର ଶିଶୁକୁ ଝାମ୍ପିନେଲା ମାଙ୍କଡ଼ ! ପଡ଼ିଶା ଘର ଛାତରୁ ମିଳିଲା ମୃତଦେହ

120

ଆଗ୍ରାରେ ଜଣେ ମାଆ ତାଙ୍କ କଅଁଳା ଶିଶୁକୁ ସ୍ତନ୍ୟପାନ କରାଉଥିବା ବେଳେ ଏକ ମାଙ୍କଡ଼ ଝାମ୍ପି ନେଇ ଶିଶୁଟିକୁ ମାରି ଦେଇଥିବା ପରି ଦୁଃଖଦ ଘଟଣା ଘଟିଯାଇଛି । ଏହି ଘଟଣାଟି ଆଗ୍ରାସ୍ଥିତ ରୁଣକେତ ଅଞ୍ଚଳର କଚରା ଥୋକ କଲୋନିରେ ଦେଖିବାକୁ ମିିଳିଛି । ମୃତକ ଜଣକ ୧୨ ଦିନ ହେଲା ଜନ୍ମଲାଭ କରିଥିବା ଶିଶୁପୁତ୍ର ଆରୁଶ ବୋଲି ଜାଣିବାକୁ ମିଳିଛି । ସେହି ସମାନ ମାଙ୍କଡ଼ ପରବର୍ତ୍ତୀ ମୁହୁର୍ତ୍ତରେ ଜଣେ ୧୪ ବର୍ଷୀୟା ନାବାଳିକାକୁ ଆକ୍ରମଣ କରିବାରୁ ନାବାଳିକା ଜଣକ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାରୁ ଜାଣିବାକୁ ମିଳିଛି ଯେ ମୃତକ ଆରୁଶଙ୍କ ମାଆ ଶିଶୁଟିକୁ ସ୍ତନ୍ୟପାନ କରାଉଥିବା ବେଳେ ମାଙ୍କଡ଼ଟି ଘରର ଦୁଆର କବାଟ ଖୋଲା ଥିବାରୁ ଘର ଭିତରକୁ ପଶିଆସି ଶିଶୁଟିକୁ ଝାମ୍ପି ନେଇ ଯାଇଥିଲା । ମାଙ୍କଡ଼ଟି ଆରୁଶର ବେକକୁ ଧରି ନେଇ କେଉଁ ଆଡ଼େ ପଳାଇ ଯାଇଥିଲା ।

ଆରୁଶର ବାପା କହନ୍ତି କି ସେ ପତି-ପତ୍ନୀ କିଛି କରିବା ପୂର୍ବରୁ ମାଙ୍କଡ଼ଟି ତାଙ୍କ ପୁଅକୁ ନେଇ ମାରି ଦେଇଥିଲା । ଆରୁଶ ତାଙ୍କର ଏକମାତ୍ର ପୁଅ ବୋଲି ବାପା ଯୋଗେଶ କହିଛନ୍ତି ।ମାଙ୍କଡ଼ିଟି ଆରୁଶକୁ ମାରିଦେବା ପରେ ଜଣେ ପଡ଼ୋଶୀଙ୍କ ଛାତରେ ପକାଇ ଦେଇଥିଲା । ଆରୁଶଙ୍କୁ ସେହି ଅବସ୍ଥାରେ ଘରଲୋକ ହସ୍ପିଟାଲ୍‌ ନେଇ ଯାଇଥିଲେ ବି ସେ ଆଉ ଜୀବିତ ନଥିଲା । ସଂପୃକ୍ତ ଅଞ୍ଚଳରେ ଏହା ଦ୍ୱିତୀୟ ଘଟଣା । କିଛି ଦିନ ପୂର୍ବରୁ ବି ଏହିପରି ଏକ ଘଟଣା ଘଟିଥିଲା । ମାଙ୍କଡ଼ମାନଙ୍କ ଉପଦ୍ରବ ହେତୁ ସ୍ଥାନୀୟ ଲୋକେ ନାନା ଅସୁବିଧାର ସାମ୍ନା କରୁଛନ୍ତି ।