ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀଙ୍କ ଗିରଫଦାରି ପରେ ଖୋଲିଲା ଗୁମର: ମାସିକିଆ ଚାନ୍ଦା ଆଦାୟ କରି ହୋଇଥିଲେ ମାଲାମାଲ । ହାଡିବନ୍ଧୁଙ୍କ ଅମାପ ସଂପତିର ଚାଲିଛି ଆକଳନ

53

କନକ ବ୍ୟୁରୋ: ହାଡିବନ୍ଧୁ ପାଣିଗ୍ରାହୀ । ରାଜ୍ୟ ପ୍ରଦୂଷଣ ବୋର୍ଡର ଅଧିକାରୀ । ଯାହାଙ୍କ ନାଁ ଶୁଣିଲେ ବଡ ବଡ ହୋଟେଲ ମାଲିକଙ୍କ ଛାତିରେ ଛନକା ପଶିଯାଏ । ରାଜ୍ୟ ସରକାରଙ୍କ ସଂସ୍ଥା ଓମଫେଡ ହେଉ କି ବଡ଼ ବଡ଼ ହୋଟେଲ, କେହି ବାଦ ପଡିନଥିଲେ ହାଡିବନ୍ଧୁଙ୍କ ଆଖିରୁ । ଯିଏ ପ୍ରଦୂଷଣ ଆଇନ କୁ ଉଲ୍ଲଘନ କରୁଥିଲା ସେଠି ପଡ଼ୁଥିଲା ହାଡିବନ୍ଧୁଙ୍କ ନଜର । କିନ୍ତୁ ତାଙ୍କର ସଂପତି ଜାଣିଲେ, ଆପଣଙ୍କ ହୋସ ଉଡିଯିବ । ଖୋଳତାଡ଼ ପରେ ଭିଜିଲାନ୍ସ ଠାବ କରିଛି ଆୟ ବହିର୍ଭୁତ ଅମାପ ସଂପତି ।

ମିଡିଆକୁ ବ୍ୟବହାର କରି କିପରି ହିରୋ ବନିହୁଏ, ସେହି କଳା ମଧ୍ୟ ଜାଣିଥିଲେ ଏହି ସରକାରୀ ବାବୁ । ବଡ ବଡ ହୋଟେଲ ଶିଳ୍ପ ସଂସ୍ଥା କୁ ନୋଟିସ ଜାରି କରି ହିରୋ ବନୁଥିବା ହାଡିବନ୍ଧୁଙ୍କର ଅସଲ କାରବାର ଥିଲା ପୂରା ଅଲଗା । ଯେଉଁ ସଂସ୍ଥାକୁ ନୋଟିସର ନାଲି ଆଖି ଦେଖାଉଥିଲେ, ସେହି ସଂସ୍ଥାଠାରୁ ଲୁଟୁଥିଲେ ମୋଟା ଅଙ୍କରେ ଲାଂଚ । ଯାଜପୁର ଅଚଂଳରୁ ଗୋଟେ ଶିଳ୍ପସଂସ୍ଥା ଠାରୁ ପ୍ରାୟ ଲକ୍ଷେ ଟଙ୍କା ଓ ସୁନା ନେଇ ଭୁବନେଶ୍ୱରକୁ ଫେରୁଥିବା ବେଳେ ଖଣ୍ଡଗିରି ଛକ ପାଖରେ ଧରା ପଡିଛନ୍ତି ଭିଜିଲାନ୍ସ ହାତରେ । ଅନ୍ୟପଟେ ତାଙ୍କ ବିରୋଧରେ ଏହା ଷଡଯନ୍ତ୍ର, ଏହି ଟଙ୍କା ତାଙ୍କ ବ୍ୟକ୍ତିଗତ ଅର୍ଥ ବୋଲି ସଫେଇ ଦେଇଛନ୍ତି ହାଡିବନ୍ଧୁ ।

ଅଭିଯୋଗ ହୋଇଛି କ୍ରସର, ହୋଟେଲ ଓ ଶିଳ୍ପସଂସ୍ଥାକୁ ପ୍ରଦୂଷଣ ଉଲଂଘନର ଭୟ ଦେଖାଇ ବଟି ଆଦାୟ କରୁଥିଲେ ହାଡ଼ିବନ୍ଧୁ । ଗୋଟିଏ ପଟେ ପ୍ରଦୂଷଣ ପାଇଁ କ୍ରସର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଥିଲେ, ଅନ୍ୟପଟେ ନିଜ ସ୍ତ୍ରୀ ନାଁ ରେ ଚଳାଇଥିଲେ କ୍ରସର । ହାଡିବନ୍ଧୁୁ କିପରି ଟଙ୍କା ଆଦାୟ୍ର କରୁଥିଲେ ତାହା ବଖାଣିଛନ୍ତି କ୍ରସର ସଂଘର କାର୍ଯ୍ୟକାରୀ ସଭାପତି ।

ଆୟର୍ବହିଭୁତ ସଂପତି ଠୁଳ ଅଭିଯୋଗରେ ହାଡ଼ିବନ୍ଧୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ରାଜ୍ୟ ପ୍ରଦୂଷଣ ବୋର୍ଡର ଆଂଚଳିକ ଅଧିକାରୀଙ୍କ କଳା କାରନାମାର ପୂରା ପୃଷ୍ଠା ଖୋଲିବାକୁ ତନାଘନା ଆରମ୍ଭ କରିଛି ଭିଜିଲାନ୍ସ ।