ଋଣ ହୋଇଗଲା କାଳ ! ଗୋଟିଏ ଘରୁ ମିଳିଲା ୬ ଜଣଙ୍କ ଶବ ।

67

ରବିବାର ଦିନ ଝାଡ଼ଖଣ୍ଡର ହଜାରିବାଗର ଏକ ଘରୁ ଗୋଟିଏ ପରିବାରର ଛଅ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଦୁଇ ଜଣ ମହିଳା, ଦୁଇ ପୁରୁଷ ଏବଂ ଦୁଇ ଛୋଟ ପିଲା। ଘରୁ ଖଣ୍ଡେ ଆତ୍ମହତ୍ୟା ଚିଟ୍ ମଧ୍ୟ ପୋଲିସ୍ ପାଇଛି । ସେଥିରୁ ଜଣାପଡୁଛି ପରିବାର ଋଣଗ୍ରସ୍ତ ଥିଲେ । ମାର୍‌ଓ୍ଵାଡ଼ି ପରିବାରର ୫ ଜଣ ସଦସ୍ୟ ରଶି ଲଗାଇ ମରିଛନ୍ତି ବୋଲି କୁହାଯାଉଛି। ଷଷ୍ଠ ଜଣକ ଘର ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଚିଟରେ ଉକ୍ତ ବ୍ୟକ୍ତି ଜଣଙ୍କ ରଶି ଲଗାଇ ନ ପାରିବାରୁ ତାଭ୍କୁ ଛାତରୁ ଡେଇଁଥିବା କଥା ମଧ୍ୟ ଉଲ୍ଲେଖ କରାଯାଇଛି ।

 

ମୃତ ଛଅ ବ୍ୟକ୍ତିଙ୍କ ପରିଚୟ ହେଉଛି : ୭୦ ବର୍ଷିୟ ମହାବୀର ମହେଶ୍ୱରୀ, ତାଙ୍କ ପତ୍ନୀ ୬୫ ବର୍ଷୀୟ କିରଣ ମହେଶ୍ୱରୀ, ପୁତ୍ର ୪୦ ବର୍ଷିୟ ନରେଶ ଅଗ୍ରଓ୍ଵାଲ୍‌,ପତ୍ନୀ ୩୯ ବର୍ଷୀୟ ପ୍ରୀତି ଅଗ୍ରଓ୍ଵାଲ୍‌ ଏବଂ ସେମାନଙ୍କ ଦୁଇ ପିଲା ୮ ବର୍ଷିୟ ଅମନ ଓ ୬ ବର୍ଷୀୟ ଅଞ୍ଜଳି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଉକ୍ତ ପରିବାରର ଗୋଟିଏ ଡ୍ରାଏ ଫ୍ରୁଟ୍‌ ଦୋକାନ ଅଛି ଓ ଏହି ଦୋକାନରୁ ସେମାନେ ଧାରକରଜରେ ବୁଡରହିଥିଲେ । ଯାହାଦ୍ୱାରା ଋଣ ଶୁଝି ନ ପାରି ସମ୍ପୁର୍ଣ୍ଣ ପରିବାର ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହେଲେ ବୋଲି ଆଖପାଖର ଲୋକ କହୁଛନ୍ତି । ତେବେ ପୋଲିସ୍ ଏନେଇ ତଦନ୍ତ ଜାରି ରଖିଛି ।