ଆଦ୍ୟାସାଙ୍କୁ ସଲାମ୍ ! କେରଳ ବନ୍ୟା ବିପନ୍ନଙ୍କ ପାଇଁ ଦୁଆର ଦୁଆର ବୁଲି ଜମା କଲେ ୫୦ ହଜାର ଟଙ୍କା ।

93

କେରଳର ପ୍ରଳୟଙ୍କାରୀ ବନ୍ୟା ପରେ କେରଳବାସୀ ସର୍ବସ୍ୱାନ୍ତ ହୋଇପଡିଛନ୍ତି । ଭୋକିଲା ପେଟକୁ ଫୁଙ୍ଗୁଳା ଦେହ ଏବଂ ତା ସହିତ ଅସୁସ୍ଥ ଦେହ ନେଇ କେରଳବାସୀ ବହୁ କଷ୍ଟରେ କାଳାତିପାତ କରୁଛନ୍ତି । ତେବେ ଏନେଇ ଚାରିଆଡୁ ସାହାଯ୍ୟର ସୁଅ ଛୁଟୁଛି । କେହି ନିଜ ସାମର୍ଥ୍ୟ ଅନୁସାରେ ଆର୍ଥିକ ସହାୟତା କରୁଛନ୍ତି ତ ଆଉକେହି ଖାଦ୍ୟସାମଗ୍ରୀ ଏବଂ ପିନ୍ଧିବା ପାଇଁ ପୀଡିତଙ୍କୁ ପୋଷାକ ଦାନ କରୁଛନ୍ତି ।

ତେବେ ଓଡିଶା ମଧ୍ୟ ପଡୋଶୀ ରାଜ୍ୟର ଦୁଃଖରେ ଭାଗୀଦାର ହୋଇଛି । କେରଳକୁ ଆର୍ଥିକ ସ୍ଥରରେ ସହାୟତା କରିବା ପାଇଁ ଓଡିଶାରୁ ବିଭିନ୍ନ ଉପାୟରେ ବିଭିନ୍ନ ସଂଗଠନ ତଥା କିଛି ସହୃଦୟ ଲୋକ ସାହାଯ୍ୟର ହାତ ବଢାଉଛନ୍ତି । ତେବେ କୁନି କୁନି ପିଲାମାନେ ମଧ୍ୟ ଏହି ଦୁଃଖଦ ସମୟରେ କେରଳକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି । ଆଜି ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ଜଣେ କୁନି ଝିଅଙ୍କ କଥା । ନାଁ ତାଙ୍କର ଆଦ୍ୟାଶା ହୋତା (୧୦) । ପଞ୍ଚମ ଶ୍ରେଣୀରେ ପଢୁଥିବା ଆଦ୍ୟାଶା ଖୁବ୍ କମ୍ ବୟସରୁ ହିଁ ଲୋକଙ୍କୁ ସାହାଯ୍ୟର ହାତ ବଢାଇବା ଭଳି ମହତ୍ କାର୍ଯ୍ୟ କରିଆସୁଛନ୍ତି । ଯେଉଁ ବୟସରେ ପିଲାମାନେ କୁମ୍ପିରେ ଟଙ୍କା ସଞ୍ଚୟ କରନ୍ତି ଚକଲେଟ୍ ଖାଇବା ପାଇଁ ,ସେହି ବୟସରେ ସେ ଦୁଃଖିରଙ୍କିଙ୍କୁ ସାହାଯ୍ୟ କରିବା ପାଇଁ ଟଙ୍କା ସଞ୍ଚୟ କରୁଛନ୍ତି । ଏହି ମହତ୍ କାମ ପାଇଁ ତାଙ୍କୁ ବାପା ମା’ ଉଭୟ ପ୍ରୋତ୍ସାହନ ଦେଇଥାନ୍ତି ।

ବର୍ତ୍ତମାନ କେରଳର ଭୟାଭୟ ବନ୍ୟାର କରୁଣ ଦୃଶ୍ୟ ଟେଲିଭିଜନରେ ଦେଖି ଏହି କୁନି ଝିଅଟି ମଧ୍ୟ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ ଏବଂ ନିଜ ବାପା ମା’ ଏବଂ ସ୍କୁଲ୍ ପ୍ରିନ୍ସିପାଲଙ୍କୁ ଏ ବିଷୟରେ ଜଣାଇଥିଲେ । ନିଜ ସାଙ୍ଗସାଥିଙ୍କ ସହ ସେ ବାଲୁଗାଁ ଅଞ୍ଚଳରେ ଦୁଆର ଦୁଆର ବୁଲି ୫୦ ହଜାର ଟଙ୍କା ପଇଠ କରିଥିଲେ । ଏହି ମୋଟାଅଙ୍କର ଟଙ୍କାକୁ ସେ ସ୍କୁଲ୍ ପ୍ରିନ୍ସିପାଲଙ୍କ ହାତରେ ହସ୍ତାନ୍ତର କରି କେରଳ ପୀଡିତଙ୍କୁ ଦେବା ପାଇଁ ଅନୁରୋଧ କରିଛନ୍ତି । ବର୍ତ୍ତମାନ ଏହି କୁନି ଝିଅ ଅଦ୍ୟାସା ବାଲୁଗାଁ ଅଞ୍ଚଳବାସୀଙ୍କ ପାଇଁ ଗର୍ବ ଏବଂ ଗୌରବର ବିଷୟ ପାଲଟିଛି ।