ଆଇପିଏସ୍ ଅଫିସରଙ୍କ ସଫଳତାର କାହାଣୀ ! ଭୋକ ଲାଗୁଥିଲେ ଖାଦ୍ୟରେ ପ୍ରଚୁର ଲଙ୍କାଗୁଣ୍ଡ ପକାଉଥିଲେ ମା’ ।

99

ପ୍ରତିକୂଳ ପରିସ୍ଥିତିକୁ ମୁକାବିଲା କରିବାକୁ ହେଲେ କଠିନ ପରିଶ୍ରମ ସାଙ୍ଗକୁ ମନରେ ଉତ୍ସାହ ମଧ୍ୟ ଭରି ରହିବା ଆବଶ୍ୟକ । ଆଉ ଯଦି ସେହି ପରିସ୍ଥିତି ପେଟର ଭୋକ ମେଣ୍ଟାଇବାକୁ ହୋଇଥାଏ ତେବେ ସଂଘର୍ଷ ଅଧିକ ଜଟିଳ ଏବଂ ବଡ ହୋଇପଡେ । କିନ୍ତୁ ଚିନ୍ତାଧାରା ଯଦି ବଡ ହୁଏ ତେବେ ଶେଷରେ ସଂଘର୍ଷ ମଧ୍ୟ ଛୋଟ ପଡିଯାଏ । ଏହିଭଳି ଜଟିଳ ସଂଘର୍ଷକୁ ମୁକାବିଲା କରିଥିବା ଜଣେ ଯୁବା ଆଇପିଏସ୍ ହେଲେ ଭୋଜରାମ୍ ପଟେଲ୍ । ରାୟଗଡ,ଛତିଶଗଡ ଏବଂ ତାରାପୁର ଗାଁ ରେ ଗଭୀର ଚିନ୍ତାଧାରା ନେଇ ବଢିଥିବା ଏହି ଅଫିସରଙ୍କ ସଂଘର୍ଷମୟ କାହାଣୀ ସମସ୍ତଙ୍କୁ ଯେ ପ୍ରେରଣା ଯୋଗାଇବ ଏଥିରେ କୌଣସି ସନ୍ଦେହ ନାହିଁ ।

ମା’ ନିରକ୍ଷର ଏବଂ ବାପା ପ୍ରାଇମେରୀ ପାସ୍ । ସଂପତ୍ତି କହିଲେ ୨ ମାଣର ଜମି ଛଡା ଆଉ କିଛି ନାହିଁ । ଗାଁର ସରକାରୀ ସ୍କୁଲରେ ପାଠ ପଢିଥିବା ଭୋଜରାମ୍ ପରିବାରର ଆର୍ଥୀକ ସମ୍ବଳ ଏବଂ ବିପରୀତ ପରିସ୍ଥିତିରେ ଆଗରେ ଆସୁଥିବା ବିଭିନ୍ନ ସଂଘର୍ଷର ମୁକାବିଲା କରିବା ପାଇଁ କେବେ ବି ପଛଘୁଞ୍ଚା ଦେଇନଥିଲେ । କିଛି କରିଦେଖାଇବାର ଅଦମ୍ୟ ଅଭିଳାଷରେ ସେ ଶିକ୍ଷାକୁ ଆଧାର କରିଥିଲେ । ଯାହା ଫଳରେ ପ୍ରଥମେ ସେ ଶିକ୍ଷକତାକୁ ଗ୍ରହଣ କରି ପରମୁହୂର୍ତ୍ତରେ ଆଇପିଏସ୍ ଅଫିସର ରୁପେ ପଦବୀ ଗ୍ରହଣ କରିଥିଲେ । ଏନେଇ ସେ କୁହନ୍ତି ଯେ ଦାରିଦ୍ର୍ୟକୁ ମୁଁ ଖୁବ୍ ପାଖରୁ ଦେଖିଛି । ଗୋଟିଏ ସମୟ ଥିଲା ଦୁଇ ଓଳି ଦୁଇ ମୁଠା ଖାଇବା ସବୁଠାରୁ କଷ୍ଟକର କାମ ଥିଲା । ଘରେ ଖାଇବାକୁ କିଛି ନଥିଲେ ମା’ ଡାଲି କିମ୍ବା ତରକାରୀରେ ଲଙ୍କାଗୁଣ୍ଡ ଅଧିକ ପକାଉଥିଲେ । ଯେଉଁଥିପାଇଁ ଭୋକ କମ୍ ଲାଗୁଥିଲା ଏବଂ ସ୍ୱଳ୍ପ ଭୋଜନରେ ହିଁ କ୍ଷୁଧା ଶାନ୍ତ ହୋଇଯାଉଥିଲା ।

ସେ ଗାଁର ଯେଉଁ ସ୍କୁଲରେ ପାଠ ପଢୁଥିଲେ ଆଜି ସେହି ସ୍କୁଲର ପିଲାମାନଙ୍କୁ ପଢିବାରେ ସହାୟତା କରୁଛନ୍ତି । ମାତା ଲୀଲାବତି ଏବଂ ପିତା ମହେଶରାମ୍ ପଟେଲ ପାଠପଢାରେ ଦୁର୍ବଳ ହେବା ସତ୍ତେ୍ୱ ସେମାନେ ଶିକ୍ଷାର ମହତ୍ତ୍ୱ ବୁଝି ପୁଅକୁ ଉଚ୍ଚ ଶିକ୍ଷା ପାଇଁ ପ୍ରେରିତ କଲେ । ସ୍କୁଲରେ ପଢୁଥିବା ସମୟରେ ସେ ପିତାମାତାଙ୍କ ସହ ଜମିରେ ମଧ୍ୟ କାମ କରୁଥିଲେ । କଲେଜରେ ପଢିବା ତାଙ୍କୁ ଶିକ୍ଷାକର୍ମୀ ବର୍ଗ-୨ ରେ ଚୟନ କରାଗଲା । ସେତେବେଳେ ଶିକ୍ଷକତା କରି ସେ ମିଡିଲ୍ ସ୍କୁଲରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଲେ ଏବଂ ଅବସର ସମୟରେ ସିଭିଲ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ଆରମ୍ଭ କରିଦେଲେ । ମା’ବାପାଙ୍କ ପରିଶ୍ରମ ଏବଂ ପୁଅର ଅଧ୍ୟାପନା ଶେଷରେ କାମରେ ଆସିଲା ଏବଂ ସେ ଆଇପିଏସ୍ ପରୀକ୍ଷାରେ ସେ କୃତକାର୍ଯ୍ୟ ହେଲେ । ନିଜ ବ୍ୟସ୍ତବହୁଳ ଜୀବନରୁ ସେ ସମୟ କାଢି ଏବେ ସ୍କୁଲପିଲାଙ୍କ ସହ ସମୟ ବିତାନ୍ତି । କେବଳ ଏତିକି ନୁହେଁ ଗାଁର ଯୁବକମାନେ କିଭଳି ଭାବେ ଆଗକୁ ବଢିବେ ଏଥିପାଇଁ ମଧ୍ୟ ସେ ସଫଳତା ମନ୍ତ୍ର ଦେଇଥାନ୍ତି ।