ରେଲୱ ଷ୍ଟେସନରୁ ରାଇସିନା ହିଲ ! କୋବିନ୍ଦଙ୍କ ପାଖରେ ପହଞ୍ଚିବେ କୁଲି

51

ଜାନୁଆରୀ ୨୦ ଅର୍ଥାତ ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ୧୧୨ ଜଣ ମହିଳାଙ୍କୁ ସମ୍ମାନିତ କରିବେ । ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଦେଖାଇଥିବା ମହିଳାଙ୍କୁ ରାଷ୍ଟ୍ରପତି ପୁରସ୍କୃତ କରିବେ । ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏମବିଏ ପାଠ୍ୟକ୍ରମ ଶେଷ କରିଥିବା ପ୍ରଥମ ମହିଳା ସରପଂଚ ହୁଅନ୍ତୁ ବା ମହିଳାଙ୍କ ପାଇଁ ସାନିଟାରୀ ନାପକିନର ବ୍ୟାଙ୍କ ନିର୍ମାଣ କରିଥିବା ମହିଳା ବିଧାୟକ କିମ୍ବା ମହିଳା ସଶକ୍ତୀକରଣ ପାଇଁ ପଦକ୍ଷେପ ନେଉଥିବା ମହିଳାଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିବେ । କିନ୍ତୁ ୧୧୨ ଜଣଙ୍କ ମଧ୍ୟରେ ଜଣେ ମହିଳା କୁଲି ମଧ୍ୟ ସମ୍ମାନିତ ହେବାକୁ ଯାଉଛନ୍ତି । ଯାହାଙ୍କ କାହାଣୀ ଏବେ ଅନେକ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛି ।

indn328a-500x375ରାଜସ୍ଥାନ ଜୟପୁରର ମଞ୍ଜୁ ଯାଦବ । ଆଜିର ସମାଜରେ ଯେଉଁଠି ମହିଳା ମାନେ ଘରର ଏରୁଣ୍ଡି ବନ୍ଧ ଡେଇଁବା ପାଇଁ ସାହସ କରୁନାହାନ୍ତି ସେମାନଙ୍କ ପାଇଁ ମଞ୍ଜୁ ଏବେ ଉଦାହରଣ ପାଲଟିଛନ୍ତି । ଖୁବ କମ ବୟସରେ ସ୍ୱାମୀଙ୍କୁ ହରାଇଥିଲେ ମଞ୍ଜୁ । ସ୍ୱାମୀ ସିନା ଛାଡି ପରପାରିକୁ ଚାଲି ଯାଇଥିଲେ କିନ୍ତୁ ସାଙ୍ଗରେ ଥିଲେ ତିନି ଜଣ ପିଲା । ଆଉ ଏମାନଙ୍କ ଭବିଷତ୍ୟ ଗଢିବା ପାଇଁ ମଞ୍ଜୁ ଉଠାଇଥିଲେ ଏକ ସାହସିକ ପଦକ୍ଷେପ । ମଥାରେ ଲାଲ ରଙ୍ଗର ସିନ୍ଦୁର ନଥିଲା ସତ କିନ୍ତୁ ଲାଲ ରଙ୍ଗର କପଡା ପିନ୍ଧି ମଞ୍ଜୁ ପାଲଟି ଯାଇଥିଲେ ପ୍ରଥମ ମହିଳା କୁଲି । ଜଣେ ମହିଳା କୁଲି ଭାବେ କାମ କରିବ ଏକଥାକୁ ପରିବାର ଲୋକ ମଧ୍ୟ ସହଜରେ ଗ୍ରହଣ କରିନଥିଲେ ।

କିନ୍ତୁ ନିଜ ପିଲାଙ୍କ ଭବିଷତ୍ୟ ପାଇଁ କୁଲି କାମକୁ ଆପଣାଇ ନେଇଥିଲେ ମଞ୍ଜୁ । ଦୀର୍ଘ ୫ ବର୍ଷ ହେଲାଣି ମଞ୍ଜୁ ଏହି ପେଶାରେ ରହିଛନ୍ତି । କିନ୍ତୁ ପ୍ରଥମେ ଏହି କାମ ତାଙ୍କ ପାଇଁ ଏତେ ସହଜ ନଥିଲା । ମଞ୍ଜୁଙ୍କ କହିବା ଅନୁଯାୟୀ ପ୍ରଥମେ ଲୋକ ଭାବୁଥିଲେ ଜଣେ ମହିଳା କିପରି ଏତେ ଜିନିଷ ଉଠାଇପାରିବ । କିନ୍ତୁ ମଞ୍ଜୁ ନିଜେ ଦୃଢ ନିଶ୍ଚିତ ଥିଲେ କି କୁଲି କାମ ସେ ବେଶ ଆରାମରେ କରିପାରିବେ । ମଞ୍ଜୁଙ୍କ କହିବା ଅନୁଯାୟୀ, ଯେଉଁଠି ଗାଁ ଗହଳିରେ ମହିଳା ମାନେ ମୁଣ୍ଡରେ ପାଣି ଗରା ଉଠାଇପାରୁଛନ୍ତି ସେ କାହିଁକି ଆସବାପତ୍ର ବୋହି ପାରିବେ ନାହିଁ ।

manjuମଞ୍ଜୁଙ୍କ ଏହି ଆତ୍ମବିଶ୍ୱାସ ବଳରେ ହିଁ ସେ ପୁରୁଷପ୍ରଧାନ ସମାଜରେ କିଛି ନୂଆ କରି ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ମଞ୍ଜୁଙ୍କ କହିବା ଅନୁଯାୟୀ, କୁଲି କାମରୁ ରୋଜଗାର ହେଉଥିବା ଅର୍ଥରେ ସେ ପରିବାର ଚଳାଇପାରୁଛନ୍ତି । କିନ୍ତୁ ମଝିରେ ଏମିତି କିଛି ଦିନ ଆସିଥାଏ ଯେବେ ତାଙ୍କୁ ଆଦୌ ଗରାଖ ମିଳନ୍ତି ନାହିଁ ଫଳରେ ତାଙ୍କୁ ଖାଲି ହାତରେ ଘରକୁ ଫେରିବାକୁ ପଡିଥାଏ । କିନ୍ତୁ ଏଥିରେ ଆଦୌ ହତୋତ୍ସାହିତ ହୋଇନାହାନ୍ତି ମଞ୍ଜୁ । ଯାହା ପାଇଁ ତାଙ୍କୁ ଏବେ ରାଷ୍ଟ୍ରପତିଙ୍କ ପାଖରୁ ପୁରସ୍କାର ମିଳିବାକୁ ଯାଉଛି । ମଞ୍ଜୁ କେବଳ ନିଜ ଜୀବନ ବଦଳାଇ ନାହାନ୍ତି ବରଂ ଅନ୍ୟ ଗରିବ ମହିଳାଙ୍କ ପାଇଁ ମଧ୍ୟ ମିସାଲ ପାଲଟି ଯାଇଛନ୍ତି ।