ଚିନ୍ତା ବଢାଉଛି ପାଣି ସମସ୍ୟା ! ଜଳ ସଂରକ୍ଷଣ ପାଇଁ ୧୧୧୫ କୋଟି ଟଙ୍କାର ପ୍ରକଳ୍ପ, ୧୦ହଜାର ପୋଖରୀର ହେବ ପୁନରୁଦ୍ଧାର ।

102

କନକ ବ୍ୟୁରୋ : ଓଡିଶାର ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପକୁ ଦେଶରେ ପ୍ରଥମ ପ୍ରକଳ୍ପ ଭାବରେ ସହାୟତା ପାଇଁ ଗ୍ରୀନ କ୍ଲାଇମେଟ୍ ଫଣ୍ଡ ମଞ୍ଜୁର କରିଛି । ଏହି ସଂସ୍ଥା ନାବାର୍ଡ ମାଧ୍ୟମରେ ୨୩୨ କୋଟି ଟଙ୍କା ଯୋଗାଇଦେବ । ସଚିବାଳୟରେ ଜଳ ସଂପଦ ବିଭାଗ ସହ ନାବାର୍ଡରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗଚ୍ଛିତ ଜଳକୁ ସଂରକ୍ଷଣ କରି ଜଳସେଚନରେ ବ୍ୟବହାର କରିବା । ବର୍ଷା ଋତୁରେ ଉପଲବ୍ଧ ହେଉଥିବା ବଳକା ଜଳକୁ ରାଜ୍ୟରେ ଥିବା ୧୦ ହଜାର ପୋଖରୀଗୁଡିକରେ ପୁନଋଦ୍ଧାର ସହ ରିଚାର୍ଜ ଷ୍ଟ୍ରକଚର କରାଯାଇ ଜଳକୁ ସଂରକ୍ଷଣ କରାଯିବ ।

ଏହି ଯୋଜନା ରାଜ୍ୟର ୧୫ ଗୋଟି ଜିଲ୍ଲା ଯଥା କଳାହାଣ୍ଡି, ମାଲକାନଗିରି, ବରଗଡ, ବଲାଙ୍ଗିର, ବୌଦ୍ଧ ଗଜପତି, ନୂଆପଡା, କନ୍ଧମାଳ, ମୟୁରଭଞ୍ଜ, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଏବଂ ସୋନପୁର ଇତ୍ୟାଦିରେ କାର୍ଯ୍ୟକାରୀ କରାଯିବ । ଏଥିପାଇଁ ବଜେଟ ପରିମାଣ ରହିଛି ୧୧ଶହ ୧୫ କୋଟି । ଉକ୍ତ ଯୋଜନାକୁ ୫ ବର୍ଷ ମଧ୍ୟରେ ସଂପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ଜଳ ସଂପଦ ସଚିବ ପ୍ରଦୀପ କୁମାର ଜେନା ।

ଜଳବାୟୁ ପରିବର୍ତ୍ତନ ରାଜ୍ୟର ଜଳସମ୍ପଦ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଥିବା ବେଳେ ଏହାର ନିରାକରଣ ପାଇଁ ରାଜ୍ୟ ସରକାର ଏକ ଯୋଜନା ପ୍ରସ୍ତୁତ କରି ଆର୍ନ୍ତଜାତିକ ସ୍ତରରେ ସ୍ଥାପନ ହୋଇଥିବା ଗ୍ରୀନ କ୍ଲାଇମେଟ୍ ଫଣ୍ଡରୁ ଆର୍ଥିକ ସହାୟତା ପାଇଁ ଆବେଦନ କରିଥିଲେ ।