ରାଷ୍ଟ୍ରପତି ଭବନରେ ୧୧୨ ମହିଳାଙ୍କୁ ସମ୍ବର୍ନ୍ଧନା ! ଦେଶର ପ୍ରଥମ ସଂପୂର୍ଣ୍ଣ ଦୃଷ୍ଟିହୀନ ଆଇଏଫଏସ ଅଫିସରଙ୍କୁ ସମ୍ମାନିତ କଲେ ରାମନାଥ କୋବିନ୍ଦ

30

କନକ ବ୍ୟୁରୋ: ଦେଶର ୧୧୨ ଜଣ ପ୍ରଥମ ମହିଳାଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଏହି ପ୍ରଥମ ମହିଳାଙ୍କ ଭିତରେ ଅଛନ୍ତି ଦେଶର ପ୍ରଥମ ସଂପୂର୍ଣ୍ଣ ଦୃଷ୍ଟିହୀନ ମହିଳା ଆଇଏଫଏସ ଅଫିସର । ଚେନ୍ନାଇର ବେନୋ ଜେଫିନି ଶହେ ପ୍ରତିଶତ ଦୃଷ୍ଟିହୀନ । ତଥାପି ୨୦୧୫ରେ ସେ ଇଣ୍ଡିଆନ ଫରେନ ସର୍ଭିସ- ଆଇଏଫଏସ ଅଧିକାରୀ ହୋଇପାରିଥିଲେ ।

ସିଭିଲ ସର୍ଭିସ ପରୀକ୍ଷାରେ ସାରା ଦେଶରେ ୩ଶହ ୪୩ ସ୍ଥାନର ଅଧିକାର କରିଥିଲେ ଜେଫିନି । ଏବେ ସେ ପ୍ୟାରିସରେଥିବା ଭାରତୀୟ ଦୂତାବାସରେ ଅବସ୍ଥାପିତ । ପାଠ ପଢିବାବେଳେ ବ୍ରେଲି ଅକ୍ଷରରେ ମୁଦ୍ରିତ ଷ୍ଟଡି ମେଟେରାଇଲର ଅଭାବ ଥିଲା । ସେଥିପାଇଁ ତାଙ୍କ ପରିବାର ଲୋକେ ଘଂଟାଘଂଟା ଧରି ବିଭିନ୍ନ ପାଠବହିକୁ ପଢି ଶୁଣାଉଥିଲେ । ଯାହାକୁ ମନେରଖି ସ୍କୁଲ ଓ କଲେଜ ପରୀକ୍ଷାରେ ବେଶ ଭଲ ନମ୍ବର ରଖିବାରେ ସମର୍ଥ ହୋଇଥିଲେ ଜେଫିନି ।

କେନ୍ଦ୍ର ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ହୋଇ ଖୁବ ଖୁସିଥିବା କହିଛନ୍ତି ଜେଫିନି । ଏଭଳି ସମ୍ମାନ ତାଙ୍କ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ପ୍ରେରଣା ଯୋଗାଇବ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି ।