ଦିଲ୍ଲୀ ଯିବା ପୂର୍ବରୁ ଗଞ୍ଜାମବାସୀଙ୍କୁ ନବୀନଙ୍କ ୧୧ଶହ କୋଟିର ଭେଟି । ୨୫ ହଜାର ଚାଷୀଙ୍କୁ ବଂଟାଗଲା କୃଷି ଉପକରଣ

134

କନକ ବ୍ୟୁରୋ : ଗଂଜାମ ଜିଲ୍ଲାକୁ ୧୧ଶହ କୋଟିର ଭେଟି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମ ରଙ୍ଗେଇଲୁଣ୍ଡାରେ ଆୟୋଜିତ ଚାଷୀ ସମାବେଶରେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ ୨୫ ହଜାର ଚାଷୀଙ୍କୁ କୃଷି ଉପକରଣ ବାଣ୍ଟିଛନ୍ତି । ଜିଲ୍ଲାର ୨୨ଟି ବ୍ଲକର ଚାଷୀଙ୍କୁ କାଳିଆ ସହାୟତା ମଧ୍ୟ ପ୍ରଦାନ କରାଯାଇଛି ।

ମଂଚ ଉପରେ ମୁଖ୍ୟମନ୍ତ୍ରୀ ଆଉ ସାମ୍ନାରେ ହଜାର ହଜାର ଚାଷୀ । ମଂଚ ଉପରେ ମନ୍ତ୍ରୀ କି ଦଳୀୟ ନେତା ନଥିଲେ, ମୁଖ୍ୟମନ୍ତ୍ରୀଙ୍କ ସହ ଏକାଠି ବସିଥିଲେ ଗଂଜାମ ଜିଲ୍ଲାର ଚାଷୀ । ଅବସର ଥିଲା ଚାଷୀ ସମାବେଶର । ରଙ୍ଗେଇଲୁଣ୍ଡା ବିଶାଳ ଚାଷୀ ସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୨୭୯ଟି ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲାର ବିକାଶ ପାଇଁ ପ୍ରକଳ୍ପ ବାବଦରେ ବ୍ୟୟ ଅଟକଳ ରହିଛି ୧୧ଶହ କୋଟି ଟଙ୍କା ।

ଗଂଜାମ ଜିଲ୍ଲାରେ ୪୮ ଟି ପ୍ରକଳ୍ପର ଶିଳାନ୍ୟାସ ଓ ଭିତିପ୍ରସ୍ତର ସ୍ଥାପନ ସହ ୨୩୧ଟି ପ୍ରକଳ୍ପ ଉଦଘାଟିତ ହୋଇଛି । ଏଥିସହ କାଳିଆ ଯୋଜନା ମାଧ୍ୟମରେ ୨୫ ହଜାର ଚାଷୀଙ୍କୁ କୃଷି ଉପକରଣ ବାଂଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାର ୨୨ଟି ବ୍ଲକର ଚାଷୀଙ୍କୁ କାଳିଆ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ଖାଲି ସେତିକି ନୁହେଁ, ହିତାଧିକାରୀଙ୍କ ଆକାଉଂଟକୁ ଯାଇଛି କାଳିଆ ଯୋଜନାର ପ୍ରଥମ ପର୍ଯ୍ୟାୟ ଟଙ୍କା ।

ଗଂଜାମ ଗସ୍ତ ସାରି ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିଛନ୍ତି । ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ନିକଟରେ ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବା କାର୍ଯ୍ୟକ୍ରମ ରହିଛି । ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ, କେନ୍ଦ୍ରର ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିବେ ନବୀନ ।