ବ୍ୟାଙ୍କ ଗୁଡ଼ିକକର ସେବାର ଅସନ୍ତୁଷ୍ଟ ଗ୍ରାହକ ! ପ୍ରତି ଘଣ୍ଟାରେ ଆସୁଛି ୧୧ ଅଭିଯୋଗ

25

କନକ ବ୍ୟୁରୋ : ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କୁ ସନ୍ତୋଷଜନକ ସେବା ଯୋଗାଇ ପାରୁନାହାନ୍ତି । ପ୍ରତି ଘଣ୍ଟାରେ ୧୧ ଜଣ ଗ୍ରାହକ ନିଜ ବ୍ୟାଙ୍କ ବିରୋଧରେ ଅଭିଯୋଗ କରୁଛନ୍ତି । ଆହୁରି ଅନେକ ଗ୍ରାହକ ସେବାକୁ ନେଇ ଅସନ୍ତୁଷ୍ଟ ଥିଲେ ମଧ୍ୟ ଅଭିଯୋଗ କରୁନଥିବା ଜଣାପଡ଼ିଛି । ବ୍ୟାଙ୍କ ଲୋକପାଳଙ୍କ ପାଖରେ ୨୦୧୩-୧୪ରୁ ୨୦୧୬-୧୭ ମଧ୍ୟରେ ୪ ଲକ୍ଷରୁ ଅଧିକ ଅଭିଯୋଗ ପହଞ୍ଚିଛି । ଏଥି ମଧ୍ୟରୁ ୨ ଲକ୍ଷ ୮୦ ହଜାର ଅଭିଯୋଗ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବିରୋଧରେ ଆସିଛି । ବଳକା ୧ ଲକ୍ଷ ୨୦ ହଜାର ପାଖାପାଖି ଅଭିଯୋଗ ଘରୋଇ ବ୍ୟାଙ୍କ ବିରୋଧରେ ହୋଇଛି । ପ୍ରତିବର୍ଷ ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୩-୧୪ରେ ୭୬, ୫୭୩ଟି ଅଭିଯୋଗ ବ୍ୟାଙ୍କ ଲୋକପାଳଙ୍କ ପାଖରେ ପହଞ୍ଚିଥିଲା। ୨୦୧୪-୧୫ରେ ଅଭିଯୋଗ ସଂଖ୍ୟା ୮୫,୧୩୧କୁ ଓ ୨୦୧୫-୧୬ରେ ୧, ୦୭, ୦୮୬କୁ ବୃଦ୍ଧି ପାଇଥିଲା। ୨୦୧୬-୧୭ରେ ୧ ଲକ୍ଷ ୩୬ ହଜାରରୁ ଅଧିକ ଅଭିଯୋଗ ବ୍ୟାଙ୍କ ବିରୋଧରେ ପହଞ୍ଚିଥିଲା । ବ୍ୟାଙ୍କଗୁଡ଼ିକ ନିଜ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଥିବାକୁ ନେଇ ସର୍ବାଧିକ ୩୫-୩୮% ଅଭିଯୋଗ କରାଯାଇଛି । ଏଟିଏମ୍‌, ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡ ସମ୍ପର୍କିତ ୨୦% ଅଭିଯୋଗ କରାଯାଇଛି । ରାଷ୍ଟ୍ରାୟତ୍ତ ବ୍ୟାଙ୍କ ବିରୋଧରେ ପେନ୍‌ସନ୍‌କୁ ନେଇ ୮% ଅଭିଯୋଗ ରହିଛି ।

source:Moneycontrol

ବ୍ୟାଙ୍କଗୁଡ଼ିକ ବିରୋଧରେ ଗ୍ରାହକଙ୍କ ଅଭିଯୋଗ ସଂଖ୍ୟା ବଢ଼ିଥିଲେ ମଧ୍ୟ ସେମାନଙ୍କୁ ବିଶେଷ ଲାଭ ହେଉନାହିଁ । କାରଣ ବ୍ୟାଙ୍କ ଲୋକପାଳରେ ବ୍ୟାଙ୍କିଙ୍ଗ୍‌ ଶିଳ୍ପର ଅଧିକାରୀମାନେ ମାମଲାଗୁଡ଼ିକର ପରିଚାଳନା କରୁଥିବାରୁ ସେମାନେ ଗ୍ରାହକଙ୍କ ବିଷୟରେ କମ୍‌ ଓ ବ୍ୟାଙ୍କ କଥା ଅଧିକ ଚିନ୍ତା କରୁଛନ୍ତି । ସେଥିପାଇଁ ଅନେକ ଗ୍ରାହକ ଅଭିଯୋଗ କରି ମଧ୍ୟ ନିରାଶ ହେଉଛନ୍ତି । ବ୍ୟାଙ୍କ ଶିଳ୍ପର ଜଣେ ବିଶେଷଜ୍ଞ କହିଛନ୍ତି ଯେ, ବ୍ୟାଙ୍କ ବିରୋଧରେ ଅଭିଯୋଗ କରିବାକୁ ନେଇ ଗ୍ରାହକମାନେ ସଚେତନ ନୁହନ୍ତି । ଯଦି ପ୍ରତି ମଣ୍ଡଳରେ ବ୍ୟାଙ୍କ ଲୋକପାଳଙ୍କ ପାଖରେ ୧୦ଟି ଅଭିଯୋଗ ପହଞ୍ଚୁଛି ତେବେ ଏହା ବିଚାର କରିବାକୁ ହେବ ଯେ ପାଖାପାଖି ଆଉ ୩୦ ଜଣ ଗ୍ରାହକ ଅସନ୍ତୁଷ୍ଟ ଥିଲେ ମଧ୍ୟ ବ୍ୟାଙ୍କ ଲୋକପାଳଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି ।