ପରୀକ୍ଷା ଖାତାରେ ନିଜ ସହ ହୋଇଥିବା ଯୌନ ଶୋଷଣର କଥା ଲେଖିଲେ ଛାତ୍ରୀ । ପୋଲିସକୁ କହିଲେ ଶିକ୍ଷୟତ୍ରୀ, ଗିରଫ ହେଲେ ଅଭିଯୁକ୍ତ

183

ଦେଶରେ ଏବେ ମି ଠୁ ଅଭିଯାନ ଜୋରସୋରରେ ଚାଲିଛି । ଯୌନ ଶୋଷଣ ଶିକାର ହୋଇଥିବା ପୀଡିତ ବା ପୀଡିତା ଏବେ ଏନେଇ ମୁହଁ ଖୋଲିବା ଆରମ୍ଭ କରିଛନ୍ତି । ଏପରିକି କାହାକୁ ଖାତିର ନକରି ଦୁଷ୍କର୍ମ ପୀଡିତ ବା ପୀଡିତା ନିଜ ସହ ଘଟିଥିବା କଥା ପୂରା ଦୁନିଆ ଆଗରେ ପ୍ରକାଶ କରୁଛନ୍ତି । ଆଉ ଏଭଳି ସମୟରେ ଗୁରୁଗ୍ରାମରେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ଯେଉଁ ଭଳି ଭାବରେ ନିଜ ସହ ହେଉଥିବା ଯୌନ ଶୋଷଣର ମାମଲା ସାମ୍ନାକୁ ଆଣିଥିଲେ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜ ସହ ଘଟୁଥିବା ଶୋଷଣ ବିଷୟରେ ସେ କାହାକୁ କହି ପାରୁ ନଥିବା ବେଳେ ଏହାକୁ ପୁଲିସ ପାଖରେ ପହଞ୍ଚାଇବା ପାଇଁ ସେ ଏକ ଭିନ୍ନ ଉପାୟ ଆପଣାଇଥିଲେ । ଦଶମ ପରୀକ୍ଷା ଚାଲୁଥିବା ବେଳେ ସେ ପ୍ରଶ୍ନର ଉତ୍ତର ନ ଲେଖି ନିଜ ସହ ଘଟୁଥିବା ଯୌନ ଶୋଷଣ ବିଷୟରେ ପରୀକ୍ଷା ଖାତାରେ ଲେଖିଥିଲେ ।

ଯାହାକୁ ଦେଖିବା ପରେ ସ୍କୁଲର ଶିକ୍ଷୟିତ୍ରୀ ପୁଲିସରେ ଅଭିଯୋଗ କରି ପୀଡ଼ିତାଙ୍କ ଦାଦା ଏବଂ ସଂପର୍କୀୟ ଭାଇଙ୍କୁ ଗିରଫ କରାଇଥିଲେ । ଗିରଫ ହେବା ପରେ ପୀଡ଼ିତାଙ୍କ ଦାଦାଙ୍କୁ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଅଭିଯୁକ୍ତ ଭାଇକୁ ଫରିଦାବାଦରେ ଥିବା ବାଲ ସୁଧାର ଗୃହକୁ ପଠାଯାଇଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ପୀଡ଼ିତା ଏ ବିଷୟରେ ନିଜ ମାତା-ପିତାଙ୍କୁ କହିବାକୁ ସାହାସ କରି ପାରୁ ନଥିବାରୁ ପରୀକ୍ଷା ଖାତାରେ ଲେଖି ସମସ୍ତଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ନେଇଥିଲେ । ପଡ଼ୋଶୀ ଘରେ ରହୁଥିବା ଦାଦା ଏବଂ ସଂପର୍କୀୟ ଭାଇ ସବୁ ବେଳେ ପୀଡ଼ିତାଙ୍କୁ ଅଶାଳୀନ ଭାବରେ ସ୍ପର୍ଶ କରୁଥିଲେ । ଯାହା ପାଇଁ ପୀଡ଼ିତା ମାନସିକ ସ୍ତରରେ ଚିନ୍ତିତ ରହି ଆସୁଥିଲେ ।