ଅସଲି ପରୀକ୍ଷା ନକଲି ଛାତ୍ର ! ଶତ ଚେଷ୍ଟା ସତ୍ୱେ ତୃଟିମୁକ୍ତ ହେଲାନି ମାଟ୍ରିକ୍ ପରୀକ୍ଷା

55

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ମୋଟ ୬ଲକ୍ଷ ୮ହଜାର ୬ଶହ ୫୯ଜଣ ଛାତ୍ରଛାତ୍ରୀ ୨ହଜାର ୯ଶହ ୩୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି ।

ଚଳିତଥର ପ୍ରଥମ କରି ଉତର ଖାତାରେ ପରୀକ୍ଷାର୍ଥୀ ନିଜ ନାଁ ଲେଖିବାର ବ୍ୟବସ୍ଥା କରାଯାଇଛି । ଏହା ଫଳରେ ଅନେକାଂଶରେ ତ୍ରୁଟି ରୋକାଯାଇ ପାରିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଆଶା ରଖିଛି । କାଁ ଭାଁ କେତେକ ଅନିୟମିତତାକୁ ଛାଡିଦେଲେ ମୋଟାମୋଟି ପ୍ରଥମ ଦିନର ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ।

ତେବେ ମାଟ୍ରିକ ପରୀକ୍ଷା ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିବା କହୁଥିବା ବେଳେ ବହୁ ଅବ୍ୟବସ୍ଥା ପଦାକୁ ଆସିଛି । ନବରଙ୍ଗପୁର ଜିଲ୍ଲାର ଭିତଭୂମି ନଥିବା ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏଥର ଜିଲ୍ଲାରେ ମୋଟ ୧୩ ହଜାର ୬୬୯ ଜଣ ଛାତ୍ରଛାତ୍ରୀ ୬୯ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ତେବେ ଭିତିଭୂମି ନଥିବା ପରୀକ୍ଷା କେନ୍ଦ୍ରଗୁଡିକରେ ପିଲାମାନେ ତଳେ ବସି ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି ।

କଳାହାଣ୍ଡି ଜିଲ୍ଲାରେ ବୋର୍ଡର ତ୍ରୁଟି ଯୋଗୁଁ ୯ ପିଲାଙ୍କୁ ଆଡମିଟ କାର୍ଡ ମିଳିନାହିଁ ଓ ସେମାନେ ପରୀକ୍ଷା ଦେଇ ପାରିନାହାନ୍ତି । କଳାହାଣ୍ଡି ଜିଲ୍ଲା ମାଣିକେଶ୍ୱରୀ ହାଇସ୍କୁଲର ଏହି ୯ ଜଣ ଛାତ୍ର ଫର୍ମ ଫିଲପ କରିଥିଲେ ମଧ୍ୟ ତାଙ୍କ ଆଡମିଟ୍ କାର୍ଡ ଆସିନାହିଁ । ପିଲାମାନେ ଏନେଇ ନ୍ୟାୟପାଳିକାର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ।

ସେପଟେ ଅନୁଗୁଳ ପାଲଲହଡାରେ ଧରାପଡିଲେ ୬ ଜଣ ନକଲି ମାଟ୍ରିକ ପରୀକ୍ଷାର୍ଥୀ । ପାଲଲହଡା ସ୍ଥିତ ମହତାବ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ଏମାନେ ଧରାପଡିଛନ୍ତି । ପତ୍ର ବିନିମୟରେ ଏମାନେ ପରୀକ୍ଷା ଦେଉଥିଲେ । ପୁଲିସ ଏମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ।