ଘର ଭିତରୁ ବାହାରିଲା ବିରାଟ ଅଜଗର । ଗଛ ଡାଳ ଦେଇ ଚଢିଥିଲା ତିନି ମହଲା ।

48

ଘର ଭିତରେ ଅଜଗର । କେବଳ ସେତିକି ନୁହେଁ, ପୁଣି ତିନି ମହଲା ଘର ଉପରେ ସାପକୁ କାବୁ କରିଛି ସ୍ନେକ୍ ରେସ୍କ୍ୟୁ ଦଳ । ଏଭଳି ଘଟଣା ଘଟିଛି ହରିଆଣା ଗୁରୁଗ୍ରାମ ଅଂଚଳରେ । ରବିବାର ରାତିରେ ଘର ମାଲିକ ବିନୟ କବାଟ ଖୋଳିବା ପରେ ଘର ଭିତରେ ସାପଟିକୁ ଦେଖିଥିଲେ । ଏନେଇ ସେ ବନବିଭାଗ ସହ ଯୋଗାଯୋଗ କରିବା ପରେ ଜଣେ ସାପ ଧରାଳୀ ଆସି ଘଟଣାସ୍ଥଳରେ ପହଂଚିଥିଲେ ।

ଏତେ ଉପରକୁ ବିଶାଳ ଅଜଗର ଗଲା କେମିତି? କେଉଁଠୁ ଆସିଲା ଏହି ଅଜଗର? ତେବେ ଏହି ବିଶାଳ ଅଜଗରକୁ କାବୁ କରିବା ପାଇଁ ବେଶ୍ କସରତ କରିବାକୁ ପଡିଥିଲା । ଏହି ଶକ୍ତିଶାଳୀ ଅଜଗର ବାରମ୍ବାର ସାପ ଧରାଳୀଙ୍କ ହାତକୁ ମୋଡି ଦେଉଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୧୫ ମିନିଟ୍ର ଉଦ୍ୟମ ପରେ ତାକୁ କାବୁ କରାଯାଇ ପାରିଥିଲା । ଏହି ଅଜଗର ପ୍ରାୟ ୧୦ ଫୁଟ୍ ଲମ୍ବା ହୋଇଥିବା ବେଳେ ୧୧ କିଲୋ ଗ୍ରାମ ଓଜନ ଥିବା ଜଣାପଡିଛି ।

ଏହି ଅଜଗର କୋଠା ନିକଟରେ ଥିବା ଏକ ଗଛ ଡାଳ ଦେଇ ଘର ଭିତରକୁ ଯାଇଥିବା ଅନୁମାନ କରାଯାଉଛି । ତେବେ ଏହି ସାପ ନିକଟରେ ଥିବା ଆରାବଳି ପାହାଡରୁ ଆସିଥିବା କୁହାଯାଉଛି । ବନ୍ୟା ପାଣି ଯୋଗୁଁ ଶୁଖିଲା ସ୍ଥାନକୁ ଚାଲିଆସିଥିବ ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ଗତ ୨ ମାସ ଭିତରେ ସ୍ଥାନୀୟ ଅଂଚଳରୁ ପ୍ରାୟ ୧୫ରୁ ଅଧିକ ଅଜଗର ଉଦ୍ଧାର କରାଯାଇଛି । ଏହାକୁ ନେଇ ଗୁରୁଗ୍ରାମ ଅଂଚଳରେ ଆତଙ୍କ ସୃଷ୍ଟି ହୋଇଛି ।