୧୦୮ ଆମ୍ବୁଲାନ୍ସ ନମ୍ବରରେ ମିଶିବ ୧୦୨: ଗୋଟିଏ ନମ୍ବରରେ ମିଳିବ ଦୁଇ ଆମ୍ବୁଲାନ୍ସ ସେବା

୧୦୨ ଆମ୍ବୁଲାନ୍ସରେ ଲାଗିବ ବାଇଓମେଟ୍ରିକ୍

95

କନକ ବ୍ୟୁରୋ: ମହିଳା ଓ ଶିଶୁଙ୍କ ପାଇଁ ସ୍ବତନ୍ତ୍ରଭାବେ ରହିଥିବା ୧୦୨ ଆମ୍ବୁଲାନ୍ସ ନମ୍ବର ଆଉ ରହିବ ନାହିଁ। ଏହା ୧୦୮ ଆମ୍ବୁଲାନ୍ସ ନମ୍ବର ସହିତ ମିଶିଯିବ। ତେଣୁ ୧୦୨ ଆମ୍ବୁଲାନ୍ସ ସେବା ପାଇବା ପାଇଁ ଚାହୁଁଥିବା ବ୍ୟକ୍ତିମାନେ ୧୦୮ ନମ୍ବରକୁ ଡାଏଲ କଲେ ୧୦୨ ଆମ୍ବୁଲାନ୍ସର ସେବା ପାଇବେ। ଯଦିଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏଥିପାଇଁ ବିଧିବଦ୍ଧଭାବେ ଘୋଷଣା ହୋଇନାହିଁ, ମାତ୍ର ଦୁଇ ନମ୍ବରକୁ ମିଶାଇ ଗୋଟିଏ ନମ୍ବର କରିବା ପାଇଁ କାର‌୍ୟ୍ୟ ଆରମ୍ଭ ହୋଇଗଲାଣି। ଆସନ୍ତା କିଛିମାସ ମଧ୍ୟରେ ଏହାର ଚୂଡ଼ାନ୍ତ ରୂପରେଖ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି।

୨୦୧୩ରୁ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିବା ବେଳେ ୨୦୧୪ ମସିହାରେ ୧୦୨ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ଏହି ଦୁଇ ଆମ୍ବୁଲାନ୍ସ ନମ୍ବରର କଲ୍ ସେଣ୍ଟର ରାଜଧାନୀର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ କାର‌୍ୟ୍ୟ କରୁଛି। ରାଜ୍ୟରେ ଏବେ ୫୧୨ଟି ୧୦୮ ଆମ୍ବୁଲାନ୍ସ ଓ ୫ଶହଟି ୧୦୨ ଆମ୍ବୁଲାନ୍ସ କାର‌୍ୟ୍ୟ କରୁଛି। ଗତବର୍ଷ ୫ଲକ୍ଷ ୨୪ହଜାର ୫୫୮ଜଣ ଗର୍ଭବତୀ ମହିଳା/ଶିଶୁ ୧୦୨ ଆମ୍ବୁଲାନ୍ସର ସେବା ପାଇଥିବା ବେଳେ ୪ଲକ୍ଷ ୨୩ହଜାର ୭୩୬ଜଣ ମାଗଣା ୧୦୮ ଆମ୍ବୁଲାନ୍ସ ସେବା ପାଇଛନ୍ତି। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଦୁଇ ଆମ୍ବୁଲାନ୍ସ ନମ୍ବରକୁ ମିଶାଇ ଗୋଟିଏ ନମ୍ବର କାର‌୍ୟ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଛି।

ଗୋଟିଏ ସ୍ଥାନରେ ଏହି ଦୁଇ ଆମ୍ବୁଲାନ୍ସ ସେବାର କଲ ସେଣ୍ଟର ରହିବ। ୧୦୮ ଆମ୍ବୁଲାନ୍ସ କଲ ସେଣ୍ଟରକୁ ଜଣେ ଫୋନ୍ କଲେ ଆବଶ୍ୟକତା ଅନୁସାରେ ୧୦୨ଆମ୍ବୁଲାନ୍ସକୁ ଏହି କଲକୁ ଫରଵାର୍ଡ କରି ଦିଆଯିବ। ଯାହାଫଳରେ ରୋଗୀଙ୍କୁ ତୁରନ୍ତ ସୁବିଧା ମିଳିପାରିବ। ସେହିପରି ୧୦୨ ଆମ୍ବୁଲାନ୍ସରେ ଏଣିକି ବାଇଓମେଟ୍ରିକ୍ ଲଗାଯିବ। ଆମ୍ବୁଲାନ୍ସ ଚଳାଉଥିବା ଡ୍ରାଇଭର୍ ଓ ଅନ୍ୟାନ୍ୟ କର୍ମଚାରୀ କିମ୍ବା ଆମ୍ବୁଲାନ୍ସରେ ଯାଉଥିବା ରୋଗୀଙ୍କ ଉପସ୍ଥାନ ନିଆଯିବାର ମଧ୍ୟ ଯୋଜନା ହୋଇଛି। ପ୍ରାରମ୍ଭିକ ପର‌୍ୟ୍ୟାୟରେ ଏଥିପାଇଁ କେତେକ ୧୦୨ ଆମ୍ବୁଲାନ୍ସରେ ବାଇଓମେଟ୍ରିକ୍ ଲଗାଯାଇ ଏହାର ପରୀକ୍ଷା ଆରମ୍ଭ ହୋଇଛି।

ରାଜ୍ୟରେ ୧୦୮/୧୦୨ ଆମ୍ବୁଲାନ୍ସ ଚଳାଉଥିବା ଚିକିତ୍ସା ସ˚ସ୍ଥାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ବାଳଙ୍କ ସୂଚନା ଅନୁସାରେ, ୧୦୨ ଆମ୍ବୁଲାନ୍ସର ନମ୍ବରକୁ ୧୦୨ ଆମ୍ବୁଲାନ୍ସ ନମ୍ବର ସହିତ ମିଶାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପ୍ରସ୍ତାବ ଆସିଛି। ତେବେ ଏହା ପଛରେ କ’ଣ ନିର୍ଦ୍ଦିଷ୍ଟ କାରଣ ରହିଛି ତାହା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଆସନ୍ତା ୧ରୁ୨ମାସ ମଧ୍ୟରେ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ତେବେ ୧୦୨ ଆମ୍ବୁଲାନ୍ସର ଅପଗ୍ରେଡେସନ୍ ଦୃଷ୍ଟିରୁ ଏଥିପାଇଁ ବାଇଓମେଟ୍ରିକ୍ ଲଗାଯାଉଛି। ଏଥିରେ ଆମ୍ବୁଲାନ୍ସ ଡ୍ରାଇଭର/କର୍ମଚାରୀ କିମ୍ବା ରୋଗୀଙ୍କ ଉପସ୍ଥାନ ନିଆଯିବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ ବୋଲି ଶ୍ରୀ ବିଶ୍ବାଳ ସୂଚନା ଦେଇଛନ୍ତି।