ରାଜ୍ୟରେ ଖୁବଶୀଘ୍ର ଗଢି ଉଠିବ ଭିନ୍ନକ୍ଷମ ମିଶନ! ବିଭାଗୀୟ ମନ୍ତ୍ରୀ ପ୍ରଫୁଲ ସାମଲ ଦେଲେ ସୂଚନା , ଉପକୃତ ହେବେ ଶହ ଶହ ଭିନ୍ନକ୍ଷମ ଯୁବକ ଯୁବତୀ

51

କନକ ବ୍ୟୁରୋ : ଖୁବ୍ ଶୀଘ୍ର ରାଜ୍ୟରେ ଭିନ୍ନକ୍ଷମ ମିଶନ ଗଢ଼ାଯିବ । ମୁଖ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ରହିବେ ବୋଲି ଆଜି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ଭୁବନେଶ୍ୱର ଗଣ୍ଡମୁଣ୍ଡାରେ ଥିବା ଜାତୀୟ କ୍ୟାରିଅର ସର୍ଭିସ୍ ସେଂଟରରେ ଯୁକ୍ତ ଦୁଇ ପାସ୍ କରିଥିବା ଦୃଷ୍ଟିବାଧିତ ୧୦୦ଜଣ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବଂଟନ କରି ଏକଥା କହିଛନ୍ତି ମନ୍ତ୍ରୀ ସାମଲ । ଏଥିସହ ୩୧ଜଣ ତାଲିମ ପ୍ରାପ୍ତ ଯୁବକଯୁବତୀଙ୍କୁ ପାରାଦୀପ ପୋର୍ଟ ପକ୍ଷରୁ ଆତ୍ମନିଯୁକ୍ତି ପାଇଁ ଟୁଲ୍ କିଟ୍ ପ୍ରଦାନ କରାଯାଇଛି ।

କେନ୍ଦ୍ରରେ ଭିନ୍ନକ୍ଷମଙ୍କ ପାଇଁ ରହିଥିବା ଆତ୍ମନିଯୁକ୍ତି ଓ ତାଲିମ ବ୍ୟବସ୍ଥା ଶହ ଶହ ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ଦେବାରେ ସାହାଯ୍ୟ କରୁଛି ବୋଲି କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ରାମ କିଶୋର ଶର୍ମା କହିଥିଲେ । କେନ୍ଦ୍ରରେ ରହିଥିବା ଅତ୍ୟାଧୁନିକ ଲାଇବ୍ରେରୀ ଭିନ୍ନକ୍ଷମ ଓ ଦୃଷ୍ଟିବାଧିତଙ୍କ ପାଇଁ ଖୁବ୍ ସହାୟକ ହେଉଛି ବୋଲି ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ ନିତେନ୍ ଚନ୍ଦ୍ରା ଓ ନିର୍ଦ୍ଦେଶିକା ମାନସୀ ନିମ୍ଭାଲ କହିଛନ୍ତି ।