ବାଘୁଣୀ ପାଇଁ ବଢିଲା ସୁରକ୍ଷା ! ସାତକୋସିଆରେ ଲାଗିବ ୧୦୦ଟି ସିସିଟିଭି କ୍ୟାମେରା ।

ସାତକୋସିଆରେ ବନ୍ୟ ଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଏବେ ଆହୁରି ୧୦୦ଟି ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଉଛି ।

96
ସାତକୋସିଆରେ ବାଘୁଣୀ ସୁନ୍ଦରୀ ଆତଙ୍କ ଓ ତା’ପରେ ମହାବଳ ମହାବିରର ମୃତ୍ୟୁକୁ ନେଇ ବିବାଦ ଲାଗିରହିଥିବା ବେଳେ ବ୍ୟାଘ୍ର ପ୍ରକଳ୍ପକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଥିଲା । କିନ୍ତୁ ପରେ ଏନଟିସିଏ ବ୍ୟାଘ୍ର ପ୍ରକଳ୍ପକୁ ନେଇ ଏକ ସ୍ପଷ୍ଟିକରଣ ଦେଇଥିଲେ । ଯେଉଁଥିଲେ କୁହାଯାଇଥିଲା ବନ୍ଦ ହେବନି ବ୍ୟାଘ୍ର ପ୍ରକଳ୍ପ । ମହାବିର ମୃତ୍ୟୁର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ କରାଯାଇ ଯୋଜନାକୁ ଆଗକୁ ବଢାଯିବ । ସାତକୋସିଆରେ ବନ୍ୟ ଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଏବେ ଆହୁରି ୧୦୦ଟି ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଉଛି ।
ସୂଚନା ମୁତାବକ, ସାତକୋସିଆରେ ବନ୍ୟ ଜୀବଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ କିଛି କିଛି ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଥିଲା । କିନ୍ତୁ ଏବେ ଆଉ ୧୦୦ଟି କ୍ୟାମେରା ଲଗାଯିବାର ଯୋଜନା କରାଯାଉଛି ।  ସିସିଟିଭି କ୍ୟାମେରା ସାହାଯ୍ୟରେ ବାଘୁଣୀର ଗତିବିଧି ଉପରେ ନଜର ରଖାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି। ବର୍ତ୍ତମାନ ସାତକୋଶିଆର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୩୦ଟି ସିସିଟିଭି କ୍ୟାମେରା ଖଞ୍ଜାଯାଇଛି।
ସୂଚନାଯୋଗ୍ୟ ଯେ, ସାତକୋଶିଆ ଅଭୟାରଣ୍ୟରେ ଥିବା ବାଘୁଣୀ ଗର୍ଭବତୀ ଅଛି। ମୃତ ମହାବଳ ବାଘ ‘ମହାବୀର’ ସହ ମିଳନରୁ ସେ ବାଘୁଣୀ ଗର୍ଭବତୀ ହୋଇଛି ବୋଲି ଆଶା କରାଯାଉଛି। ଯଦି ଏହା ସତ ହୋଇଥାଏ ବାଘୁଣୀ ଆସନ୍ତା ଫେବ୍ରୁଆରିରେ ମାତୃତ୍ୱ ଲାଭ କରିପାରେ।